ନବରଙ୍ଗପୁର ଜିଲ୍ଲାରେ ତୃତୀୟ ପର୍ଯ୍ୟାୟରେ ଆରମ୍ଭ ହୋଇଛି ବାୟୁ ସ୍ୱାସ୍ଥ୍ୟସେବା। ଆଦିବାସୀ ଇଲାକାରେ ଉନ୍ନତ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ | ଏହା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ୱରର ବିଭିନ୍ନ ବିଭାଗର ସୁପର ସ୍ପେସାଲିଷ୍ଟ ଆସି ପହଂଚି ସେବା ଯୋଗାଇଦେବେ। ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧୀନରେ ଡାକ୍ତରଙ୍କ ଏକ ଟିମ୍ ଆଜି ନବରଙ୍ଗପୁର ଅଭିମୁଖେ ଯାତ୍ରା କରିଛନ୍ତି। ବିଶେଷ ଚିକିତ୍ସା ଏବଂ ଜଟିଳ ଯତ୍ନର ଆବଶ୍ୟକତା ଥିବା ରୋଗୀମାନଙ୍କୁ ସେମାନେ ଚିକିତ୍ସା କରିବେ। ଏହି ଗସ୍ତ ସମୟରେ ନବରଙ୍ଗପୁରରେ ପ୍ରାୟ ୮୦୦ ରୋଗୀ ଚିକିତ୍ସିତ ହେବାର ଆଶା କରାଯାଉଛି ବୋଲି ସଚିବ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ବାୟୁ ସ୍ୱାସ୍ଥ୍ୟସେବା ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକରେ ଲୋକ ମାନଙ୍କୁ ଅବଗତ କରାଯାଇଛି । ସେଥିପାଇଁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଲଟ୍ରାସାଉଣ୍ଡ, x-ray, ରକ୍ତ ପରୀକ୍ଷା ଭଳି ସମସ୍ତ ମେସିନ ପରିଚାଳକ ଓ ସମସ୍ତେ ସଜାଗ ହୋଇଛନ୍ତି । ବର୍ତ୍ତମାନ ପଞ୍ଜିକରଣ କରିଥିବା ରୋଗୀମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ । କାଲିଠୁ ଏହି ଡାକ୍ତରମାନେ ଚିକିତ୍ସା କରିବେ ।