ନୂଆଦିଲ୍ଲୀ, ନଭେମ୍ବର ୧୫(ଖବର ଓଡ଼ିଶା): ଏବେବି ଅନେକ ଗରିବ ଦେଶରେ ଟିକା ଅଭାବ ଦୂର ହୋଇପାରିନି । ଏମିତିକି ବର୍ତ୍ତମାନ ସୁଦ୍ଧା ବହୁ ଇଉରୋପୀୟ ଦେଶ ଗୁଡିକରେ ପ୍ରଥମ ଡୋଜ୍ ଟିକା ଦିଆଯାଇପାରିନାହିଁ ।
ମାତ୍ର ଏଭଳି ସମୟରେ କିଛି ଦେଶ ସେମାନଙ୍କ ନାଗରିକ ମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବା ପରେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛନ୍ତି । ଯାହାକୁ ନେଇ ସେହି ଦେଶ ଗୁଡିକୁ ବୁଷ୍ଟର ଡୋଜ୍ ଦେବା ପରିବର୍ତ୍ତେ ଯେଉଁ ଦେଶରେ ଟିକାର ଅଭାବ ରହିଛି ସେହି ଦେଶ ମାନଙ୍କୁ ଟିକା ରପ୍ତାନୀ କରିବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ବିଶ୍ୱରେ ଯେତେବେଳେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଲୋକ, ଜୀବନ ପ୍ରତି ବିପଦ ଥିବା ବର୍ଗର ଲୋକ ସେମାନଙ୍କ ପ୍ରଥମ ଡୋଜ୍ ଟିକା ନେବାକୁ ଅପେକ୍ଷା କରିଛନ୍ତି ସେତେବେଳେ ସ୍ୱାସ୍ଥ୍ୟବାନ ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବାର କିଛି ଅର୍ଥ ନାହିଁ ।
ଏବଂ ଗରିବ ଦେଶଙ୍କୁ ଟିକା ମିଳି ନଥିବାରୁ ବର୍ଷ ଶେଷ ପର୍ଯ୍ୟନ୍ତ ବୁଷ୍ଟର ଡୋଜ୍କୁ ସ୍ଥଗିତ ରଖିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର କହି ଆସୁଥିଲେ ମଧ୍ୟ ଅଧିକରୁ ଅଧିକ ଦେଶ ସେମାନଙ୍କ ଲୋକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛନ୍ତି ।
ନିମ୍ନ ଆୟୁବର୍ଗର ଲୋକଙ୍କୁ ପ୍ରତିଦିନ ଯେତିକି ସଂଖ୍ୟକ ଟିକା ଦିଆଯାଉଛି ତାହା ତୁଳନାରେ ୬ ଗୁଣା ଅଧିକ ବୁଷ୍ଟର ବିଶ୍ୱରେ ଦିଆଯାଉଛି । ତୁରନ୍ତ ଏହାକୁ ବନ୍ଦ କରାଯିବା ଆବଶ୍ୟକ ବୋଲି ହୁ ମୁଖ୍ୟ କହିଛନ୍ତି ।
ବର୍ତ୍ତମାନ ପୁଣି ଥରେ ଇଉରୋପୀୟ ଦେଶ ଗୁଡିକ କରୋନାର କେନ୍ଦ୍ର ହେବାକୁ ଯାଉଛି ଯାହାକୁ ନେଇ ଡବ୍ଲୁଏଚଓ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଏହି ଦେଶ ଗୁଡିକରେ ହଠାତ୍ ସଂକ୍ରମଣ ବୃଦ୍ଧି ପାଇଛି ଯାହା ଅନ୍ୟ ଦେଶ ମାନଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି ଯାହାକୁ ଦୃଷ୍ଟିରେ ରଖି ଗରିବ ଦେଶ ମାନଙ୍କୁ ଟିକା ପ୍ରଦାନ କ୍ଷେତ୍ରରେ ସହଯୋଗ କରିବାର ଆବଶ୍ୟକ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆଦନୋମ୍ କହିଛନ୍ତି ।