ହାଇକୋର୍ଟଙ୍କ ନିର୍ଦ୍ଦେଶ: ‘କୋଭିଡ୍‌ରେ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ବାହାର କରନାହିଁ’
Khabar Odisha:High-Court-order-Do-not-evict-health-workers-employed-in-Covid
ଭୁବନେଶ୍ୱର, ଜାନୁଆରୀ ୦୭ (ଖବର ଓଡ଼ିଶା):

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚାକିରିରୁ ବାହାର କରାଯାଇ ପାରିବ ନାହିଁ ବୋଲି ବୁଧବାର ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ କୋଭିଡ୍ ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କରିବା ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦପଦବୀ ଖାଲି ରହିଥିବାବେଳେ କୋଭିଡ୍ ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କାହିଁକି ବାହାର କରାଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଆସନ୍ତା ୨୫ତାରିଖ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ଏହାର ଜବାବ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୮ରେ ହେବ ।

 କରୋନା ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ହସ୍ପିଟାଲ, ମେଡିକାଲ କଲେଜ ଏବଂ ହସ୍ପିଟାଲ ଆଦିରେ ପାରାମେଡିକାଲ ୱାର୍କର୍ସ ଏବଂ ଷ୍ଟାଫ୍ ନର୍ସମାନଙ୍କୁ ନିଯୁକ୍ତି ଦେବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସମଗ୍ର ରାଜ୍ୟରେ ଏହି କର୍ମଚାରୀଙ୍କୁ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲା । ଏହି ଆଧାରରେ ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକ୍ନିସିଆନ୍‌, ରେଡିଓଗ୍ରାଫର, ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ନିଯୁକ୍ତିର ସର୍ତ୍ତ ସମୟରୁ ସମୟ ବୃଦ୍ଧି କରାଯିବ ବୋଲି କୁହାଯାଇଥିଲା । ପୁରୀ ଜିଲ୍ଲାରେ ୭୬ଟି ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦବୀରେ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇଥିଲା । ଆବେଦନକାରୀଙ୍କ ସମେତ ନିଯୁକ୍ତି ପାଇଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଠିକାରେ ନିଯୁକ୍ତି ପାଇଥିଲେ । ଏହାପରେ ସେମାନଙ୍କ ନିଯୁକ୍ତି ଧାର୍ଯ୍ୟ ସମୟ ପୂରଣ ହେବାପରେ ପୁନର୍ବାର ଗତ ମାସ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଏବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ମାସ ୨୨ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ କୋଭିଡ୍ ପରିଚାଳନା ପାଇଁ ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ୨୦୨୦ ଡିସେମ୍ବର ୩୧ତାରିଖ ପରେ ଆଉ କାର୍ଯ୍ୟ ଅବଧି ବୃଦ୍ଧି ପାଇବ ନାହିଁ ବୋଲି ଚିଠି କରାଯାଇଥିଲା । ଏଥିସହ ଯଦି କୌଣସି ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ଆବଶ୍ୟକତା ଉପଲବ୍ଧ କରୁଥିବେ, ତେବେ ଏହି କର୍ମଚାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ କର୍ମଚାରୀଙ୍କୁ ରଖିପାରିବେ ବୋଲି କୁହାଯାଇଥିଲା । ଉକ୍ତ ଚିଠିକୁ ଚ୍ୟାଲେଞ୍ଜ କରି ସୂର୍ଯ୍ୟନାରାୟଣ ମିଶ୍ରଙ୍କ ସମେତ ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୨ହଜାର ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦବୀ ଖାଲିପଡିଛି । କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ଅବଧିକୁ ବୃଦ୍ଧି କରିବା ପରିବର୍ତ୍ତେ ନୂଆ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ଲାଗି ଉଦ୍ୟମ ଆରମ୍ଭ କରୁଛନ୍ତି । ତେଣୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଏହି ଛଟେଇ ବିଜ୍ଞପ୍ତିକୁ ରଦ୍ଦ ଲାଗି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି ।

  • Tags:

Subscribe

National International State Sports Entertainment