ହାଇଦ୍ରାବାଦ: ସାଉଥ୍ ସୁପର୍ ଷ୍ଟାର୍ ନାଗାର୍ଜୁନ ଅଡ଼ୁଆରେ ପଡ଼ିଛନ୍ତି । ଶନିବାର ଦିନ ହାଇଦ୍ରାବାଦରେ ଥିବା ତାଙ୍କର ଏକ କନଭେନସନ୍ ସେଣ୍ଚର ଉପରେ ବୁଲଡୋଜର ଚାଲିଛି । ୧୦ ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା ଏନ-କନଭେନସନ୍ ସେଣ୍ଟରକୁ ବୁଲଡୋଜର ଦ୍ୱାରା ଭାଙ୍ଗା ଯାଇଛି । ଅବୈଧ ଭାବରେ ଏହି କନଭେନସନ ସେଣ୍ଟର ନିର୍ମାଣ କରାଯିବା ଅଭିଯୋଗର ହାଇଦ୍ରାବାଦ ବିପର୍ଯ୍ୟୟ ପରିଚାଳନା ଏବଂ ସମ୍ପତ୍ତି ସୁରକ୍ଷା ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ନାଗାର୍ଜୁନ ହାଇଦ୍ରାବାଦର ମାଧାପୁର ଅଞ୍ଚଳକେ ଥମ୍ମିଦିଙ୍କୁଟା ହ୍ରଦ ନିକଟରେ ୧୦ ଏକର ଜମି ଉପରେ ଏକ ବିଶାଳ ଏନ-କନଭେନସନ୍ ସେଣ୍ଟର ନିର୍ମାଣ କରିଥିଲେ । ସାଧାରଣ ଜମିରେ ବେଆଇନ ଭାବେ କନଭେନସନ୍ ସେଣ୍ଟର ତିଆରି ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଗତ କିଛି ବର୍ଷ ହେବ ତଦନ୍ତ ଜାରି ରହିଥିଲା । ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ତମାମ ତଦନ୍ତ କରିବା ପରେ ଶନିବାର କନଭେନସନ ସେଣ୍ଟରକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗା ଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନର ଅଧିକାରୀମାନେ ଉପସ୍ଥିତ ଥିଲେ ଏବଂ ପୋଲିସ ନିୟୋଜିତ ହୋଇଥିଲେ ।
ପ୍ରଶାସନର ଏ ନିଷ୍ପତ୍ତି ଉପରେ ନାଗାର୍ଜୁନ ସୋସିଆଲ ମିଡିଆରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କନଭେନସନ ସେଣ୍ଟର ନିର୍ମାଣରେ କୌଣସି ନିୟମ ଉଲ୍ଲଂଘନ କରାଯାଇ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହି କେନ୍ଦ୍ର ଉପରେ ଯେଉଁ ଜମି ନିର୍ମିତ ହୋଇଛି ତାହା ଲିଜ୍ ହୋଇଥିବା ଜମି । ଯାହାକୁ ଭଙ୍ଗା ଯାଇଛି ତାର ଗୋଟିଏ ଇଞ୍ଚ ଜମି ଉପରେ ବି ଏହାର ଅଂଶ ନାହିଁ । ଏହି କୋଠାଟି ବ୍ୟକ୍ତିଗତ ଜମିରେ ନିର୍ମିତ ଏବଂ ଉଚ୍ଛେଦ ପ୍ରକ୍ରିୟା ଉପରେ କୋର୍ଟ ଏକ ରହିତାଦେଶ ମଧ୍ୟ ଜାରି କରିଛନ୍ତି । କିନ୍ତୁ ଭୁଲ ସୂଚନା ଆଧାରରେ ଉଚ୍ଛେଦ କରାଯାଇଛି ବୋଲି ନାଗାର୍ଜୁନ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଉଚ୍ଛେଦ ପୂର୍ବରୁ କୌଣସି ପୂର୍ବ ସୂଚନା ଦିଆଯାଇ ନାହିଁ । ଜଣେ ଆଇନ ପାଳନ କରୁଥିବା ନାଗରିକ ଭାବରେ, ଯଦି କୋର୍ଟ ଏହି ବିଷୟରେ ନିର୍ଦ୍ଦେଶ ଦେଇଥାନ୍ତେ ତେବେ ମୁଁ ନିଜେ ଏହି କୋଠାକୁ ଭାଙ୍ଗି ଦେଇଥା’ନ୍ତି । କିନ୍ତୁ ମାମଲା ବିଚାରାଧୀନ ଅଛି । ମୁଁ ଏହା ପୋଷ୍ଟ କରୁଛି ଯାହା ଦ୍ୱାରା ସ୍ପଷ୍ଟ ହୋଇଯିବ ଯେ ଆମ ଦ୍ୱାରା କୌଣସି ବେଆଇନ ନିର୍ମାଣ କିମ୍ବା ଅବୈଧ ପ୍ରବେଶ ହୋଇନାହିଁ । ସର୍ବସାଧାରଣରେ କୌଣସି ଭୁଲ ଧାରଣାକୁ ଏଡାଇବା ପାଇଁ, ମୁଁ ଏହାକୁ ରେକର୍ଡରେ ରଖୁଛି । କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆମେ କୋର୍ଟରୁ ଆଶ୍ୱାସନା ଚାହୁଁଛନ୍ତି ବୋଲି ନାଗାର୍ଜୁନ କହିଛନ୍ତି ।