ଭୁବନେଶ୍ୱର: ଓଲିଉଡର ବିବାଦୀୟ ଅଭିନେତା ମନୋଜ ମିଶ୍ର ଶେଷରେ କ୍ଷମା ମାଗିଛନ୍ତି । କାଳଜୟୀ ରଚୟିତା ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ‘ରାଣ୍ଡି ପୁଅ ଅନନ୍ତା’ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ମେଟା (ଫେସବୁକ)ରେ ସେ ଏକ ଭିଡ଼ିଓ ଜାରି କରିଛନ୍ତି ।
ମନୋଜ ମିଶ୍ର ତାଙ୍କ ଭିଡ଼ିଓରେ କହିଛନ୍ତି, “ମୋର କୌଣସି ଲକ୍ଷ୍ୟ ନାହିଁ ଯେ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଲେଖା ଉପରେ ପ୍ରଶ୍ନ କରିବି । ସେତିକି ଦ୍ରୁଷ୍ଟତା କରି ପାରିବି ନାହିଁ । କାରଣ ମୋର ଓଡ଼ିଶା ସାହିତ୍ୟରେ ସେତିକି ଜ୍ଞାନ ନାହିଁ । ଜଣେ ଅଭିନେତା ହିସାବରେ ମଧ୍ୟ ସାହିତ୍ୟ ସେତିକି ଜ୍ଞାନ ନାହିଁ । ଯଦି କାହା ମନରେ କଷ୍ଟ ଦେଇଛି ତାହା ହେଲେ ମୋତେ କରିଦେବେ”।
ଜଣେ ଅଭିନେତା ହିସାବରେ ତାଙ୍କୁ ସାହିତ୍ୟ ଭିତରକୁ ନ ଟାଣିବାକୁ ଅନୁରୋଧ କରିଛନ୍ତି । କେବଳ ସିନେମାର ଟାଇଟଲକୁ ନେଇ ପ୍ରଶ୍ନ ଉଠାଇଥିଲି । କାରଣ ଆଜିର ଆଧୁନିକ ଯୁଗରେ ନାରୀଙ୍କ ସମ୍ମାନକୁ ନେଇ ପ୍ରଶ୍ନ ଉଠୁଛି । ସେଥିପାଇଁ ସେ ଟାଇଟେଲକୁ ନେଇ ପ୍ରଶ୍ନ ଉଠାଇଥିଲେ ବୋଲି କହିଛନ୍ତି ମନୋଜ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଫିଲ୍ମ ‘ରାଣ୍ଡି ପୁଅ ଅନନ୍ତା’ ଉପରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ଯେଉଁଥିଲେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଅନନ୍ତା ଚରିତ୍ରରେ ଦେଖିବାକୁ ମିଳିବ । ମାତ୍ର ମନୋଜ ମିଶ୍ର ‘ରାଣ୍ଡି’ ଶବ୍ଦ ବ୍ୟବହାର ନେଇ ପ୍ରଶ୍ନ ଉଠାଇଥିଲେ । ଯାହା ପରେ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶୀକାର ହେବାକୁ ପଡ଼ିଥିଲା । ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଥିଲେ ଯେ ଫକୀର ମୋହନ ସେନାପତିଙ୍କ ଦ୍ୱାର ରଚିତ କାହାଣୀକୁ ନେଇ ସେ ଫିଲ୍ମ କରିଛନ୍ତି । ତେଣୁ ଏହା ଉପରେ ପ୍ରଶ୍ନ ଉଠିବା ଆଦୌ ଉଚିତ ନୁହେଁ । ଯଦି ଉକ୍ତ ଶବ୍ଦ ଠିକ୍ ନୁହେଁ ତେବେ କାହିଁକି ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ । ତେବେ ସମାଲୋଚନାର ଶୀକାର ହେବା ପରେ ମନୋଜ ମିଶ୍ର କ୍ଷମା ମାଗିଛନ୍ତି ।