ଆଜି ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ରୂପାନ୍ତରର ଟ୍ରେଲର ରିଲିଜ୍ ହୋଇଛି । ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ଦେଖିବ ସାରା ଦେଶ । ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ ହିନ୍ଦୀ ଭାଷାରେ ଆସିବ । ‘ଦମନ’ର ଅଫିସିଆଲ୍ ଟ୍ରେଲର୍କୁ ନିଜ ୟୁଟ୍ୟୁବ୍ ପେଜ୍ରେ ସେୟାର କରିଛି ‘ପାନୋରାମା ଷ୍ଟୁଡିଓଜ୍’। ଏହି ଫିଲ୍ମଟି ଆସନ୍ତା ଫେବୃଆରୀ ୩ ତାରିଖରେ ଦେଶବ୍ୟାପୀ ରିଲିଜ ହେବ ବୋଲି ସୂଚନା ।
୨୦୧୫ ମସିହାରେ ଏକ ସରକାରୀ ମେଡିକାଲ କଲେଜରୁ ନିଜର ଏମ୍ବିବିଏସ୍ ପୂରା କରି ଆଦିବାସୀମାନଙ୍କ ଅଞ୍ଚଳ ମାଲକାନଗିରିରେ ନିଯୁକ୍ତ ହେଉଛନ୍ତି ଯୁବ ଡାକ୍ତର ସିଦ୍ଧାର୍ଥ ମହାନ୍ତି । ଡାକ୍ତର ସିଦ୍ଧାର୍ଥ ନିଯୁକ୍ତ ହେଇଥିବା ‘ଜାନବାଇ ପିଏଚ୍ସି’ ଅଧୀନରେ ୧୫୧ଟି ଗାଁ ଯାଉଥିବା ବେଳେ ପୂରା ଅଞ୍ଚଳ ରହିଛି ନକ୍ସଲ୍ ମାନଙ୍କ କବ୍ଜାରେ। କେବଳ ସେତିକି ନୁହେଁ, ସେହି ଅଞ୍ଚଳ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ରହିଛି । ପ୍ରଥମେ ଡାକ୍ତର ସିଦ୍ଧାର୍ଥ ସେ ସ୍ଥାନ ଛାଡ଼ି ପଳେଇ ଆସିବାକୁ ଚିନ୍ତା କରି ପରେ ସେ ଅଞ୍ଚଳରେ ବ୍ୟାପିଥିବା ମ୍ୟାଲେରିଆ ର ସମ୍ପୂର୍ଣ ନିରାକରଣ ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି। ଅଣଶିକ୍ଷିତ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଓ ରୋଗ ସହ ଲଢ଼ି ଲଢ଼ି ଶେଷରେ ସେ ମ୍ୟାଲେରିଆ ପରି ଏକ ରୋଗକୁ ନିୟନ୍ତ୍ରଣକୁ ଆଣନ୍ତି। ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ ହୋଇଥିବା ବେଳେ ମୁଖ୍ୟ ଭୂମିକା ରେ ବାବୁସାନ ଅଭିନୟ କରିଛନ୍ତି ।