ମୁମ୍ବାଇ: ଶ୍ରଦ୍ଧା କପୁରଙ୍କ ଅଭିନିତ ହରର୍ କମେଡି ‘ସ୍ତ୍ରୀ-୨’ ଏବେ ବକ୍ସ ଅଫିସରେ ରାଜ କରୁଛି । ରେର୍କଡ ଭାଙ୍ଗିବାରେ ‘ପଠାନ୍’କୁ ବି ପଛରେ ପକାଇଛି ‘ସ୍ତ୍ରୀ-୨’ । ଏହି ଫିଲ୍ମଟି ଭାରତର ୨ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ହୋଇପାରିଛି ।
ସୂଚନା ଅନୁସାରେ, ଗତ ଶନିବାର ଭାରତରେ ‘ସ୍ତ୍ରୀ-୨’ର ମୋଟ୍ ବକ୍ସ ଅଫିସ୍ କଲେକ୍ସନ୍ ୫୧୬.୨୫ କୋଟି ଟପିଥିଲା । ଏଥିସହିତ ଏହା ‘ବାହୁବଲୀ ୨’ର ହିନ୍ଦୀ ବକ୍ସ ଅଫିସ୍ କଲେକ୍ସନ୍ର ରେକର୍ଡ ଭାଙ୍ଗି ଭାରତର ୩ୟ ସର୍ବାଧିକ ବ୍ୟବସାୟ କରିଥିବା ଫିଲ୍ମ ପାଲଟିଥିଲା । ତା’ପରେ ରବିବାର ‘ସ୍ତ୍ରୀ-୨’ର ବକ୍ସ ଅଫିସ୍ କଲେକ୍ସନ୍ରେ ଆଉ ୧୦ କୋଟି ଯୋଡ଼ିହେଲା । ଏଥିସହିତ ଦେଶରେ ଫିଲ୍ମର ମୋଟ୍ କଲେକ୍ସନ୍ ହାରାହାରି ୫୨୭ କୋଟି ଟପିଲା । ତା’ପରେ ଏହା ଭାରତରେ ‘ପଠାନ୍’ର ହିନ୍ଦୀ ସଂସ୍କରଣର କଲେକ୍ସନ୍ ରେକର୍ଡ ଭାଙ୍ଗିଲା । ତେବେ ଐତିହାସିକ ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଫିଲ୍ମକୁ ଆହୁରି ସମୟ ଲାଗିବ । ଏଥିପାଇଁ ତାକୁ ‘ଯୱାନ୍’କୁ ହରାଇବାକୁ ପଡ଼ିବ । ଭାରତରେ ‘ଯୱାନ୍’ର ହିନ୍ଦୀ ସଂସ୍କରଣ ୫୮୨.୩୧ କୋଟି ବ୍ୟବସାୟ କରି ଅଦ୍ୟାବଧି ପ୍ରଥମ ସ୍ଥାନରେ ରହିଛି ।
ଗତ ଦୁଇ ସପ୍ତାହ ଧରି ‘ସ୍ତ୍ରୀ-୨’ ସହ ପ୍ରତିଯୋଗିତା କରିବାକୁ କୌଣସି ଫିଲ୍ମ ରିଲିଜ୍ ହୋଇନାହିଁ । ଗତ ୬ ତାରିଖରେ ମୁକ୍ତିଲାଭ କରିବାକୁ ଥିବା କଙ୍ଗନାଙ୍କ ରାଜନୈତିକ ଥ୍ରିଲର୍ ‘ଏମର୍ଜେନ୍ସି’ ବିବାଦ ଯୋଗୁ ବାତିଲ ହେଲା । ତେବେ ଆସନ୍ତା ଶୁକ୍ରବାର କରୀନା କପୁରଙ୍କ ‘ବକିଂଘମ୍ ମର୍ଡର୍ସ’ ମୁକ୍ତିଲାଭ କରୁଥିବାରୁ ‘ସ୍ତ୍ରୀ-୨’ର ବ୍ୟବସାୟ ମାନ୍ଦା ପଡ଼ିପାରେ । ଗତ ଅଗଷ୍ଟ ୧୪ ତାରିଖରେ ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ରେ ଶ୍ରଦ୍ଧାଙ୍କ ସମେତ ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା, ଅଭିଷେକ ବାନାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।