ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଲା ଓ ଆଇନ୍ ପରିସ୍ଥିତିରେ ବିପର୍ଯ୍ୟସ୍ତ ଦେଖାଯାଇଛି। ବିନା ପ୍ରମାଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରାଜ୍ୟ ସରକାର ଜେଲ ପଠାଇଛନ୍ତି? ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ୧୦ ମିନିଟ ଭିତରେ ଏହି ସ୍ଥାନକୁ ପହଞ୍ଚିଥିଲି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଙ୍ଗଳବାର ପୂର୍ବାହ୍ଣରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି, ଘଟଣା ଦିନ ମୁଁ ସେଠାରେ ପହଞ୍ଚିଥିଲି। ସେଠାରେ କୌଣସି ଲୋକ କହିନାହାନ୍ତି, ଭୋଟିଂ ମେସିନଙ୍କୁ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗିଛନ୍ତି। ଏହି ଅଭିଯୋଗ ସେଠାରେ କେହି କହିନାହାନ୍ତି। ୧୦ ମିନିଟ ଭିତରେ ସେଠାରେ ସବୁ ସ୍ଥିତି ଭଲ ଥିଲା। ଡ୍ରାଇଭର ବନମାଳି ବାବୁଙ୍କୁ ଚାରିଜଣ ପୁଲିସ ହଇରାଣ କରିଥିଲେ। ସେମାନେ ଚାହୁଥିଲେ, ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିଛନ୍ତି ବୋଲି ବନମାଳି କୁହନ୍ତୁ। କିନ୍ତୁ ବନମାଳି ବାବୁ ସାହାସ ଦେଖାଇଛନ୍ତି।
୨୪ ବର୍ଷ ପ୍ରଶାସନିକ ସେବାରେ କାମ କରିଛି। ଓଡ଼ିଶାରେ ୧୯ ବର୍ଷ କାମ କରିଛି। ବାକି ୫ ବର୍ଷ ଦିଲ୍ଲୀରେ କାମ କରିଛି। ଜଣେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ଡରିଯାଇ, ପ୍ରଶାସନ ଓ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ମୋ ପାଖରେ ପ୍ରମାଣ ତିନିଟି ପ୍ରମାଣ ଅଛି, ଇଭିଏମ୍ ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କର କୌଣସି ସଂପୃକ୍ତି ନାହିଁ । ସମୟ ଆସିଲେ ସିସିଟିଭି ଫୁଟେଜ୍ ସହିତ ପ୍ରମାଣ ଦିଆଯିବ ବୋଲି ଅପରାଜିତା କହିଛନ୍ତି।
ଭୁବନେଶ୍ୱର ସାଂସଦ କହିଛନ୍ତି, ପ୍ରତିବର୍ଷ ମୁଁ ମୋର ରିପୋର୍ଟ କାର୍ଡ ଦେଇଆସୁଛି । କିନ୍ତୁ ବିଜୁ ଜନତା ଦଳ ୨୦୧୯ରେ ମେନିଫେଷ୍ଟୋରେ ଦେଇଥିବା ପ୍ରତିଶ୍ରୁତି ପୂରା କରିଛି କି? ବିଜେଡି ଏହା ଦେଇ ନପାରିବାର କାରଣ କ’ଣ ହୋଇପାରେ? ରାଜ୍ୟରୁ ଦାରିଦ୍ର୍ୟତା ହ୍ରାସ ପାଇନାହିଁ । ଆମ ପାଖରେ ସବୁ ଥାଇ ମଧ୍ୟ ଆମେ ଗରିବ। ଖଣି ବିଭାଗରେ ପ୍ରବଳ ଦୁର୍ନୀତି ହେଉଛି।
ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀର ଆରମ୍ଭରୁ ଅପରାଜିତା କହିଛନ୍ତି ପରିବର୍ତ୍ତନର ଆଭାସ ମିଳୁଛି। କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କୁ ଲୋକେ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛଁନ୍ତି। ଓଡ଼ିଶାରେ ଲୋକେ ବିଜେପି ସରକାର ଚାହୁଁଛନ୍ତି, ଯାହାକି ମୋଦୀଙ୍କ ନେତୃତ୍ୱରେ ଚାଲିବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସବୁ ଲୋକେ କହୁଛନ୍ତି। ଲୋକେ ସଂକଳ୍ପ ନେଇ ସାରିଛନ୍ତି ଓଡ଼ିଶାରେ ବିଜେପି ସରକାର ଆଣିବୁ। ମୋଦୀ ସରକାରଙ୍କ ସଂକଳ୍ପ ରହିଛି, ସିଦ୍ଧି ସଫଳ ହେବାକୁ ଯାଉଛି।