ଭୁବନେଶ୍ୱର: ଚିଲିକା ବିଧାୟକ ତଥା ଚଳିତ ସାଧାରଣ ନିର୍ବାଚନରେ ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଆଜି ସକାଳୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ବିଧାୟକ ଶ୍ରୀ ଜଗଦ୍ଦେବଙ୍କୁ ଭୋର ୪ଟା ସମୟରେ ଖୋର୍ଦ୍ଧା ଜେଲ୍ରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଶ୍ରୀ ଜଗଦ୍ଦେବ ଅସୁସ୍ଥ ଥିବାରୁ ତାଙ୍କ ଓକିଲଙ୍କ ଆଧାରରେ ଏସ୍ସିବି ମେଡିସିନ୍ ୱାର୍ଡର ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ଶ୍ରୀ ଜଗଦ୍ଦେବଙ୍କ ସ୍ପାଇନାଲ କର୍ଡ ସହିତ ମଧୁମେହ ଆଦି ବହୁତ ସମସ୍ୟା ଅଛି ବୋଲି ଓକିଲ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟଙ୍କ ଆଦେଶକ୍ରମେ ଜେଲରେ ପ୍ରଶାନ୍ତ ଜଗଦ୍ଦେବଙ୍କର ସ୍ୱାସ୍ଥ୍ୟାବସ୍ଥାର ଯାଂଚ କରାଯାଇଥିଲା। ତାପରେ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ଗତ ୨୫ ତାରିଖ ଦିନ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିଲା ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।
ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ ଆଧାରରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗି ନଥିବା ବିଜେପି ନେତାମାନେ ଦର୍ଶାଇଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ରାଜ୍ୟରେ ଆଇନ୍ ଶୃଙ୍ଖଲା ଓ ଆଇନ୍ ପରିସ୍ଥିତିରେ ବିପର୍ଯ୍ୟସ୍ତ ଦେଖାଯାଇଛି । ବିନା ପ୍ରମାଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ରାଜ୍ୟ ସରକାର ଜେଲ ପଠାଇଛନ୍ତି । ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ୧୦ ମିନିଟ ଭିତରେ ଏହି ସ୍ଥାନକୁ ପହଞ୍ଚିଥଲି । ସେଠାରେ କୌଣସି ଲୋକ କହିନାହାନ୍ତି, ଭୋଟିଂ ମେସିନଙ୍କୁ ପ୍ରଶାନ୍ତ ଜଗଦ୍ଦେବ ଭାଙ୍ଗିଛନ୍ତି । ଏହି ଅଭିଯୋଗ ସେଠାରେ କେହି କହିନାହାନ୍ତି ।