ମୁମ୍ବାଇ: ଦଳୀୟ ଶୃଙ୍ଖଳା ନ ମାନିବା ଏବଂ ଦଳୀୟ ନିୟମ ଉଲ୍ଲଂଘନ କରିଥିବାରୁ ଭାରତୀୟ ଜନତା ପାର୍ଟି ବୁଧବାର ମହାରାଷ୍ଟ୍ରର ୩୭ଟି ଭିନ୍ନ ଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୦ ଜଣ କର୍ମୀଙ୍କୁ ବହିଷ୍କାର କରିଛି। ବହିଷ୍କୃତ କର୍ମୀଙ୍କ ନାମ ମଧ୍ୟ ଜାରି କରିଛି ବିଜେପି। ମହାରାଷ୍ଟ୍ର ପାଇଁ ମହାୟୁତି ମେଣ୍ଟ ନିଜର ବହୁ ପ୍ରତୀକ୍ଷିତ ଇସ୍ତାହାର ଉପସ୍ଥାପନ କରିବା ପରେ ବିଜେପି ଏହି ନିଷ୍ପତ୍ତି ନେଇଛି।
କୋହ୍ଲାପୁର ଉତ୍ତରରେ ଆୟୋଜିତ ଏକ ସାଧାରଣ ସଭାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାର ମିଳିତ ଭାବେ ଇସ୍ତାହାର ଜାରି କରିଛନ୍ତି। ମହାରାଷ୍ଟ୍ରପାଇଁ ପରିବର୍ତନମୂଳକ ବିକାଶ ଏବଂ ରାଜ୍ୟର ପ୍ରଗତିଶୀଳ ଭବିଷ୍ୟତ ପାଇଁ ମେଣ୍ଟର ପ୍ରତିବଦ୍ଧତାକୁ ଇସ୍ତାହାରରେ ଆଲୋକପାତ କରାଯାଇଛି। ମହାୟୁତି ମେଣ୍ଟରେ ବିଜେପି, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ସାମିଲ ଅଛନ୍ତି।
ଇସ୍ତାହାରର ମୂଳରେ ରହିଛି ସବୁ କ୍ଷେତ୍ରରେ ଆର୍ଥିକ ସହାୟତା ଓ ସମର୍ଥନ ବୃଦ୍ଧି ପାଇଁ ପ୍ରତିଶ୍ରୁତି। 'ଲଡ଼କି ବହିନ୍' ଯୋଜନାରେ ମହିଳାଙ୍କ ମାସିକ ଭତ୍ତା ୧୫୦୦ ଟଙ୍କାରୁ ୨୧୦୦ ଟଙ୍କାକୁ ବୃଦ୍ଧି କରାଯିବା ସହ ମହିଳାଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୨୫ ହଜାର ନୂଆ ପୁଲିସ ନିଯୁକ୍ତି କରାଯିବ।
କୃଷକଙ୍କୁ ଋଣମୁକ୍ତ କରିବା ଏବଂ ୨୦ ପ୍ରତିଶତ ଏମଏସପି ସବସିଡିର ଲାଭ ପାଇବା ସହ "ଶେତକାରୀ ସମ୍ମାନ ଯୋଜନା" ଅଧୀନରେ ବାର୍ଷିକ ୧୫,୦୦୦ ଟଙ୍କାର ସହାୟତା ବୃଦ୍ଧି କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ। ସେହିପରି ବରିଷ୍ଠ ନାଗରିକଙ୍କ ମାସିକ ପେନସନକୁ ୨୧୦୦ ଟଙ୍କାକୁ ବୃଦ୍ଧି କରାଯିବ, ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବ ବୋଲି ଇସ୍ତାହାରରେ କୁହାଯାଇଛି।
ଅଧିକ ପଢ଼ନ୍ତୁ: ୬୦ ବର୍ଷରେ କ’ଣ କରିଛି କଂଗ୍ରେସ