ସାକ୍ଷରତା କେବଳ ଯେ ବିକାଶ କରେନାହିଁ, ବରଂ ସମାଜରେ ଜଣେ ବ୍ୟକ୍ତିଙ୍କୁ ସମ୍ମାନିତ କରାଏ। ଜଣେ ଶିକ୍ଷିତ ବ୍ୟକ୍ତିଙ୍କ ଆଗରେ ମଥା ଆପେ ଆପେ ନଇଁଯାଏ। ଶିକ୍ଷିତ ବ୍ୟକ୍ତି ନିଜର ଏକ ନିଜସ୍ୱ ପରିଚାଳନା ପଦ୍ଧତି ଅବଲମ୍ବନ କରନ୍ତି । ଏହି ପରିଚାଳନା ପଦ୍ଧତି ସମସ୍ତଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର। ତେଣୁ ରାଷ୍ଟ୍ରରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ପରିଚାଳନା ବା ଉନ୍ନତି ପାଇଁ ପ୍ରତିଟି ବ୍ୟକ୍ତି ଶିକ୍ଷିତ ହେବା ନିହାତି ଆବଶ୍ୟକ। ସର୍ବୋପରି ସାମାଜିକ ଚଳନି ପାଇଁ ମଧ୍ୟ ଜଣେ ବ୍ୟକ୍ତି ସାକ୍ଷର ହେବା ନିତ୍ୟନ୍ତ ଆବଶ୍ୟକ।
ପ୍ରତିଦିନ ସକାଳୁ ଉଠିବା ଠାରୁ ଆରମ୍ଭ କରି ଯାତ୍ରା ସମୟରେ କେଉଁ ସ୍ଥାନକୁ ଯାଉଛନ୍ତି, କେଉଁ ମେଡିସିନ୍ ଖାଉଛନ୍ତି କେଉଁ ଜାଗାରେ ରହୁଛନ୍ତି ଇତ୍ୟାଦି ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଜଣେ ବ୍ୟକ୍ତି ଶିକ୍ଷିତ ହେବା ଉଚିତ୍ । କେବଳ ଏତିକି ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ଜଣେ ସ୍ଵାକ୍ଷର ହେବ ନିହାତି ଆବଶ୍ୟକ ।
ପ୍ରତିବର୍ଷ ସେପ୍ଟେମ୍ବର ୮ କୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାଜରେ ଶିକ୍ଷାର ମହତ୍ତ୍ୱ ବାବଦରେ ପ୍ରଚାର କରାଯାଏ। ଲୋକମାନଙ୍କୁ ସାକ୍ଷରତାର ମହତ୍ତ୍ୱ, ଉପକାରିତା ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଶିକ୍ଷା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସାକ୍ଷରତା ଦିବସ ପାଳନ କରାଯାଏ । ଭାରତରେ ମଧ୍ୟ ଏହି ଦିନ ସାକ୍ଷରତା ସ୍ତର ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ପାଳନ କରାଯାଏ। ସାକ୍ଷରତାର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସରକାର 'ସର୍ବ ଶିକ୍ଷା ଅଭିଯାନ' ପରିଚାଳନା କରୁଛନ୍ତି। ଏହା ମାଧ୍ୟମରେ ସମସ୍ତ ଭାରତୀୟ ମାନଙ୍କୁ ଶିକ୍ଷା ପାଇଁ ଉତ୍ସାହିତ କରାଯାଏ।
କ’ଣ ରହିଛି ଏହାର ଉଦ୍ଦେଶ୍ୟ ଓ ଏହି ଦିବସ ପାଳନର ଇତିହାସ :-
ଐତିହାସିକଙ୍କ ମତରେ ବିଶ୍ବରେ ନିରକ୍ଷରତା ହଟାଇବା ପାଇଁ ଏହି ଦିବସ ପାଳିତ ହୋଇ ଆସୁଥିବା ବେଳେ ଏହାର ସୁତ୍ରପାତ ଇରାନରୁ ଆରମ୍ଭ ହୋଇଥିଲା। ୧୯୬୫ମସିହାର ସେପ୍ଟେମ୍ବର ୮ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପ୍ରଥମେ ଇରାନ ରାଜଧାନୀ ତେହେରାନରେ ପାଳିତ ହୋଇଥିଲା । ସେତେବେଳେ ଏହା ଅନ୍ତର୍ଜାତୀୟ ମାନ୍ୟତା ପାଇନଥିଲା ତେବେ ପରବର୍ତୀ ସମୟରେ ଆଧୁନିକ ତଥା ସମୃଦ୍ଧ ବିଶ୍ବରେ ଶିକ୍ଷାର ଗୁରୁତ୍ବକୁ ପ୍ରଚାର ପ୍ରସାର ଓ ନିରକ୍ଷରତାବିହୀନ ବିଶ୍ବ ପାଇଁ ଏକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ୟୁନେସ୍କୋ (UNESCO)ଘୋଷଣା କରିଥିଲା । ଏହା ପରେ ଏହି ଦିନକୁ ପ୍ରଥମ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପ୍ରତ୍ୟେକ ବର୍ଷ ବିଶ୍ବବ୍ୟାପୀ ପାଳନ କରାଯାଉଛି।
ଚଳିତ ବର୍ଷ ସାକ୍ଷରତା ଦିବସର ବିଷୟବସ୍ତୁ ବା ଥିମ୍ ରହିଛି 'ପରିବର୍ତ୍ତିତ ଦୁନିଆରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା: ଏକ ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଜର ମୂଳଦୁଆ ଗଢିବା'।