ଖବର ଓଡିଶା : 05/03/2023
ଚଳିତ ମାସ ୧୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ୧୦ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ । ପରୀକ୍ଷା ଲାଗି ଆଜିଠାରୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଫଳତାର ସହ ତ୍ରୁଟିଶୂନ୍ୟ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାକୁ ପରିଚାଳନା କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।ପ୍ରଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡା ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ, ବିଦ୍ୟୁତ ଏବଂ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାର ସୁପରିଚାଳନା ଲାଗି ୨୨ଟି ପୁଲିସ ଥାନାକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ସ୍କୁଲସ୍ତରରେ ଭିତ୍ତିଭୂମି ନ ଥିବାରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥି.ଏସ୍, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମଶିଷ ହାଜରା, ଉପସଭାପତି ଡ଼ଃ ନିହାର ରଞ୍ଜନ ମହାନ୍ତି, ନିର୍ଦ୍ଦେଶକ ସୁଶାନ୍ତ ଦାଶ, ଅତିରିକ୍ତ ସଚିବ ଅଶ୍ୱିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।