ମୟୁରଭଞ୍ଜ: ଚକୋଲେଟ ଖୁଆଇବା ଲୋଭ ଦେଖାଇ ଶିଶୁ ଅପହରଣ ଯୋଜନା ବିଫଳ ହୋଇଛି। ବାଇକରେ ବସାଇ ଛୁଆ ମାନଙ୍କୁ ଅପହରଣ କରିବା ସମୟରେ କାବୁ କରିନେଇଥିଲେ ଗ୍ରାମବାସୀ।ଅପହରଣକାରୀକୁ ଗଛରେ ବାନ୍ଧି ମାଡ ମାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପରାଧୀକୁ ବାନ୍ଧିଛି। ଅଭିଯୁକ୍ତ ଜଣକ ହେଲେ ବଡସାହି ଥାନା ଦଲକି ଗାଁର ଉପେନ୍ଦ୍ର ପାତ୍ର। ସ୍ଥାନୀୟ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେଠାକର ଠିକାଦାରଙ୍କ ଅଧୀନରେ କାମ କରୁଥିଲେ।
ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲାର ତିଲଦା ଗ୍ରାମର ୪ ଜଣ ଶିଶୁ ଅଙ୍ଗନବାଡ଼ିରୁ ଫେରୁଥିବା ବେଳେ ଅଭିଯୁକ୍ତ ନିଜର ଜନ୍ମଦିନ ଥିବା କହି ଶିଶୁମାନଙ୍କୁ ବାଇକ ଯୋଗେ ଅପହରଣ କରିନେଉଥିଲେ। ମାତ୍ର ମୁରୁକୁଣ୍ଡିଆ ଛକ ନିକଟରେ ଗାଡ଼ିରେ ତେଲ ଭରି ଆଗକୁ ଯାଉଥିବା ବେଳେ ସ୍ଥାନୀୟ ଦୋକାନୀଙ୍କୁ ଉପେନ୍ଦ୍ରଙ୍କ ଗତିବିଧି ଉପରେ ସନ୍ଦେହ ହୋଇଥିଲା। ସେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ଜୁଗୁପୁରା ଠାରେ ପହଞ୍ଚି ଅଭିଯୁକ୍ତକୁ ତିଲଦା ଗ୍ରାମକୁ ଆଣି ନିସ୍ତୁକ ମାଡ ମାରିଥିଲେ। ପରବର୍ତ୍ତୀ ସମୟରେ ବୈସିଙ୍ଗା ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ ତଦନ୍ତ ଆରମ୍ଭ କରିଛି।