ଭୁବନେଶ୍ୱର: ସରକାରୀ ଅର୍ଥ ଅନିୟମିତତା ଅଭିଯୋଗର ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଅଦଲାତ ୫ ଜଣ ପୂର୍ବତନ ସରକାରୀ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତିନି ବର୍ଷ ଜେଲ ଦଣ୍ଡ ସହ ୫୦,୦୦୦ ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । କୋର୍ଟରେ ଅନୁପସ୍ଥିତ ଥିବା ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ପୃଥ୍ୱୀ ଡ୍ୟାମ ଏବଂ ଦେଓ ଜଳସେଚନରେ ୧,୧୪,୨୬,୧୯୪ ଟଙ୍କା ହେରଫେର କରିବା ଅଭିଯୋଗରେ ଭିଜିଲାନ୍ସ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଜଳସେଚନ ବିଭାଗରେ ତତ୍କାଳୀନ କାର୍ଯ୍ୟରତ ତଥା ଏବେ ଅବସରପ୍ରାପ୍ତ ପୂର୍ବତନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ମହାପାତ୍ର, ଅବସରପ୍ରାପ୍ତ ପୂର୍ବତନ ବିଭାଗୀୟ ଆକାଉଣ୍ଟସ୍ ଅଫିସର ଶ୍ରୀ ପ୍ରଦୀପ କୁମାର ପଣ୍ଡା, ଅବସରପ୍ରାପ୍ତ ପୂର୍ବତନ କ୍ଲର୍କ-କମ-ଅଡିଟର ବୈକୁଣ୍ଠ ନାଥ ନାୟକ, ଭୁବନେଶ୍ୱର ମଞ୍ଚେଶଶ୍ୱର ପ୍ରକଳ୍ପ ନିର୍ଦ୍ଦେଶକ ଶଙ୍କର ନାରାୟଣ ଦେଓ ଏବଂ ପରିଚାଳନା ନିର୍ଦ୍ଦେଶକ ତୁଷାର ମିଶ୍ରଙ୍କ ନାଁରେ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା ଭିଜିଲାନ୍ସ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏହି ମାମଲରା ଶୁଣାଣି କରିଥିଲେ । କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି ।
ଭିଜିଲାନ୍ସ କୋର୍ଟ ୪ ଜଣ ପୂର୍ବତନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ତିନି ବର୍ଷ ଜେଲ ଦଣ୍ଡ ସହ ୫୦,୦୦୦ ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ସେମାନେ ହେଲେ ଅଶୋକ କୁମାର ମହାପାତ୍ର, ପ୍ରଦୀପ କୁମାର ପଣ୍ଡା, ବୈକୁଣ୍ଠ ନାଥ ନାୟକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ଶଙ୍କର ନାରାୟଣ ଦେଓ । କୋର୍ଟରେ ଅନୁପସ୍ଥିତ ଥିବା ପରିଚାଳନା ନିର୍ଦ୍ଦେଶକ ତୁଷାର ମିଶ୍ର ଅନୁପସ୍ଥିତ ଥିବାରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ ।
ଏହା ସହିତ ମାନ୍ୟବର କୋର୍ଟ ଅଶୋକ କୁମାର ମହାପାତ୍ର, ପ୍ରଦୀପ କୁମାର ପଣ୍ଡା ଏବଂ ବୈକୁଣ୍ଠ ନାଥ ନାୟକଙ୍କ ପେନସନ ବନ୍ଦ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।