ଖବର ଓଡ଼ିଶା: ସାମାନ୍ୟ ବଚସାରୁ ରାଜଧାନୀ ଭୁବନେଶ୍ୱରରେ ହୋଇଛି ଡବଲ ମର୍ଡର । ଗାଡ଼ି ପାର୍କିଂକୁ କେନ୍ଦ୍ର କରି ଦୁଇ ଜଣ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ଦୁଇ ଜଣ ହେଲେ ରଶ୍ମିରଂଜନ ସେଠୀ (ଜିତୁ) ଓ ତାଙ୍କ ବନ୍ଧୁ ସମ୍ବିତ ରାଉତ (ଜୁଲୁ) ।
ମିଳିଥିବା ସୂଚନା ମୁତାବକ, ରଶ୍ମିରଂଜନ ସେଠୀ ସବୁଦିନ ପରି ଗତକାଲି କଲ୍ୟାଣୀ ପ୍ଲାଜାରେ ନିକଟରେ ଥିବା ତାଙ୍କ ଦୋକାନକୁ ଆସିଥିଲେ । ସେ କଲ୍ୟାଣୀ ପ୍ଲାଜାରେ ନିକଟରେ ତାଙ୍କ ଗାଡ଼ି ପାର୍କ କରିଥିଲେ । କିନ୍ତୁ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ୱରେ ଥିବା ଗଣେଶ ମଲ୍ଲିକ (ବାପି) ଏହାକୁ ବିରୋଧ କରୁଥିଲେ । ତିନି ଦିନ ହେବ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଚାଲୁ ରହିଥିଲା । କିନ୍ତୁ ଗତକାଲି ଏହା ତୀବ୍ର ରୂପ ନେଇଥିଲା । ଗଣେଶ ରଶ୍ମିରଞ୍ଜନଙ୍କ କାରକୁ ଗୋଇଠା ମାରିବା ସହ ଗାଡ଼ି ହଟାଇବାକୁ କହିଥିଲେ । ଏହା ପରେ ଦୁଇ ଜଣ ହାତାହାତି ହୋଇଥିଲେ ।
ପରେ ଗଣେଶ ତାଙ୍କର ୩ରୁ ୪ଜଣ ସାଙ୍ଗକୁ ଫୋନ କରି ଡାକିଥିଲେ । ଗଣେଶଙ୍କ ସାଙ୍ଗମାନେ ମାରଣାସ୍ତ୍ରରେ ଧରି ଘଟଣାସ୍ଥଳରେ ପହଞ୍ଚି ରଶ୍ମିରଞ୍ଜନଙ୍କୁ ଆକ୍ରମଣ କରିଥିଲେ । ରଶ୍ମିରଞ୍ଜନ ପ୍ରାଣ ବଞ୍ଚାଇବା ପାଇଁ ଦୌଡ଼ି ପଳାଇଯାଉଥିବାବେଳେ ତାଙ୍କୁ ସଙ୍ଘବଦ୍ଧଭାବେ ଆକ୍ରମଣ କରି ଗୋଡ଼ାଇ ଗୋଡ଼ାଇ ହାଣିଥିଲେ । ଏହି ସମୟରେ ରଶ୍ମିରଞ୍ଜନଙ୍କ ସାଙ୍ଗ ସମ୍ବିତ ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ରଶ୍ମିରଞ୍ଜନଙ୍କର ମୃତ୍ୟୁ ହୋଇଯାଇଥିଲା । ସମ୍ବିତଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।