ଭୁବନେଶ୍ୱର: ଚଳିତ ବର୍ଷ ରେଳ ପଥ ମାଧ୍ୟମରେ ହେଉଥିବା ନିଶା ଦ୍ରବ୍ୟ ଚୋରା ଚାଲାଣ ମାମଲାରେ ରେଳବାଇ ପୋଲିସକୁ ବ୍ୟାପକ ସଫଳତା ମିଳିଛି । ଏଯାବତ୍ ୨୦୦ଟି ମାମଲାରେ ୨୯୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ୩୩୫୨ କିଲୋଗ୍ରାମର ଅଧିକ ଚୋରା ଗଞ୍ଜେଇ ଜବତ କରିଛି ରେଳବାଇ ପୋଲିସ । ଏ ନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।
କଟକ ରେଳବାଇ ପୋଲିସରେ ସର୍ବାଧିକ ମାମଲା ହୋଇଥିବାବେଳେ ରାଉରକେଲାରେ ସର୍ବାଧିକ ଗିରଫ ଦାରୀ ହୋଇଛି । କଟକ ରେଳବାଇ ପୋଲିସ ୮୭ଟି ମାମଲା ରୁଜୁ କରି ୧୪୮୯ କେଜିରୁ ଅଧିକ ଗଞ୍ଜେଇ ଜବତ ସହ ୧୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ରାଉରକେଲା ରେଳବାଇ ପୋଲିସ, ୧୧୩ ଟି ମାମଲା ରୁଜୁ କରି ୧୮୬୩ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛି । ଏହା ସହ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୧୮୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ୨.୬୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ରାଜ୍ୟ ବାହାରର ଅଟନ୍ତି । ଅଭିଯୁକ୍ତମାନେ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟର ବୋଲି ତଦନ୍ତ ସମୟରେ ପୋଲିସ ଜାଣିବାକୁ ପାଇଛି । ସମସ୍ତ ମାମଲାଗୁଡିକର ତଦନ୍ତ ଜାରି ରହିଛି ଏବଂ ଏହାର ପଛରେ ଥିବା ଚୋରାଚାଲାଣ ନେଟୱର୍କକୁ ଭାଙ୍ଗିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ପୋଲିସ କହିଛନ୍ତି ।
ରେଳପଥକୁ ମାଦକ ଚୋରାଚାଲାଣରୁ ମୁକ୍ତ ରଖିବା ପାଇଁ ରେଳ ସୁରକ୍ଷା ବଳ (ଆରପିଏଫ) ଓ ସରକାରୀ ରେଳବାଇ ପୋଲିସ (GRP) ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖାଯାଇ କଠୋର ଯାଞ୍ଚ ଓ ନିରୀକ୍ଷଣ କରାଯାଉଛି । ରାଜ୍ୟର ବହୁ ଗୁରୁତ୍ଵପୂର୍ଣ୍ଣ ରେଳ ଷ୍ଟେସନ ଯଥା ଭୁବନେଶ୍ଵର, କଟକ, ସମ୍ବଲପୁର, ପୁରୀ, ରାଉରକେଲା ଆଦି ଷ୍ଟେସନରେ ଓ ପକ୍ଷରୁ ମିଳିତ ଅଭିଯାନ କରାଯାଉଛି । ଟ୍ରେନରେ ସନ୍ଦେହଜନକ ଅନୁଭବ ହେଉଥିବା ବ୍ୟାଗ/ପାର୍ସେଲ ତନ୍ନ ତନ୍ନ ଭାବେ ଯାଞ୍ଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ଏହା ସହ ବିଭିନ୍ନ ସମୟରେ ସନ୍ଧାନୀ କୁକୁର ଦ୍ବାରା ଷ୍ଟେସନ୍ ଓ ଟ୍ରେନ ବଗି ମଧ୍ୟରେ ଯାଞ୍ଚ କରାଯାଉଛି । ନିଶା ମାଫିଆଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ଗ୍ରହଣ କରାଯାଉଛି ଏବଂ ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି ।
ଅଧିକ ପଢ଼ନ୍ତୁ:-ବନ ଅଧିକାରୀଙ୍କ ଘରୁ ବାହାରିଲା ନଗଦ ଟଙ୍କା ଓ ସୁନା