ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରତନପୁର ଗାଁରେ ନିଖୋଜ ନାବାଳକ ମୃତ ଦେହ ଉଦ୍ଧାର ହୋଇଛି । ଗାଁର ଜଣକ ପାଇଖାନା ଟାଙ୍କିରୁ ମୃତ ଦେହ ମିଳିଛି । ମୃତ ନାବାଳକ ଜଣକ ହେଲା ଆଶୀର୍ବାଦ ସାହୁ । ସେ ୭ ଦିନ ହେଲା ନିଖୋଜ ଥିଲା । ତେବେ ହତ୍ୟା ଅଭିଯୋଗରେ ସମ୍ପର୍କୀୟ ଦାଦା ପ୍ରଭାକର ସାହୁଙ୍କୁ ଅଟକ ରଖିଛି ଡେଲାଙ୍ଗ ପୋଲିସ । ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।
ରତନପୁର ଗାଁର ମାନସ ସାହୁଙ୍କ ୧୧ ବର୍ଷର ପୁଅ ଆଶୀର୍ବାଦ ସାହୁ ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲା । ଘର ବାରଣ୍ଡାରେ ଖେଳୁଥିବା ସମୟରେ ସେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ତାର ଗଳିତ ମୃତ ଦେହ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଛି । ଏକ କୋମଳମତି ଶିଶୁକୁ ଅତି ନୃଶଂସଭାବେ ଗୁପ୍ତାଙ୍ଗ କଟାଯାଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ପୋଲିସ ମୃତ ଦେହକୁ ଜବତ କରିଛି ।
ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ ନାବାଳକର ପଡ଼ୋଶୀ ସମ୍ପର୍କୀୟ ଦାଦା ସମ୍ପୃକ୍ତି ଥିବା ଜଣାପଡ଼ିଛି । ପୋଲିସ ପ୍ରଭାକର ସାହୁଙ୍କୁ ଅଟକ ରଖିବା ପରେ ଜେରା କରିଛି । ସେ ଦୋଷ ସ୍ୱୀକାର ମଧ୍ୟ କରିଛି । ଏହି ଘଟଣାରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।
ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି । ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହା ସହିତ ଦୋଷୀ ପ୍ରଭାକର ଘର ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଅଭିଯୁକ୍ତକୁ କଠୋରରୁ କଠୋର ଶାସ୍ତି ଦେବାକୁ ଦାବିରେ ଅଡ଼ି ବସିଛନ୍ତି । ପୋଲିସ ତଦନ୍ତରେ ଅବହେଳା ମଧ୍ୟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ମଙ୍ଗଳବାରଠାରୁ ଘରୁ ନିଖୋଜ ହୋଇଯାଇଥିଲା । ଗତକାଲି ଆଶୀର୍ବାଦର ପରିବାର ଓ ଗ୍ରାମବାସୀମାନେ ଡେଲାଙ୍ଗ ଫାଣ୍ଡି ସମୁଖରେ ଧାରଣା ଦେଇଥିଲେ । ଏହା ସହିତ ପୁରୀ ଅତିରିକ୍ତ ଏସ୍ପିଙ୍କ ଜରିଆରେ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦାବିପତ୍ର ଦେଇଥିଲେ । ଗତ ୧୮ ତାରିଖରେ ପ୍ରଭାକର ସାହୁକୁ ଅଟକ ରଖିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିଲା । ତାକୁ ପୋଲିସ ଟ୍ରାକ୍ କରିଥିଲା । ଗତକାଲି ପୁଣି ତାକୁ ଅଟକ ରଖିବା ପରେ ସେ ସମସ୍ତ ଦୋଷ ସ୍ୱୀକାର କରିଛି ।