ଖବର ଓଡ଼ିଶା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ଠାକୁରମୁଣ୍ଡା ଦାସସାହିର ଦୁର୍ଯ୍ୟୋଧନ ବାହୁବଳେନ୍ଦ୍ରଙ୍କ ପୁଅ ସନ୍ତୋଷ ବାହୁବଳେନ୍ଦ୍ର । ଅଭିଯୁକ୍ତକୁ ଗିରଫ କରିବା ଦାବିରେ ପରିବାର ଲୋକ ରାସ୍ତା ରୋକ କରିଛନ୍ତି ।
ଠାକୁରମୁଣ୍ଡା ଦାସସାହିର ଦୁର୍ଯ୍ୟୋଧନ ବାହୁବଳେନ୍ଦ୍ରଙ୍କ ପୁଅ ସନ୍ତୋଷ ଗତକାଲି ସନ୍ଧ୍ୟା ସମୟରେ ତରାମରା ଗ୍ରାମର ସାଙ୍ଗ ବୀରେନ୍ଦ୍ର ବେହେରାଙ୍କ ଘରକୁ ବୁଲିବାକୁ ଯାଇଥିଲେ । ତାଙ୍କ ସହ ସାନ ବାପାଙ୍କ ପୁଅ ଗୁରୁଚରଣ ବାହୁବଳେନ୍ଦ୍ର ମଧ୍ୟ ଯାଇଥିଲେ । ଉଭୟ ବୀରେନ୍ଦ୍ରଙ୍କ ପାଖରେ ପହଞ୍ଚିବା ପରେ ପତ୍ରତୋଳା ସାହିକୁ ଯାଇଥିଲେ । ସେଠାରୁ ଘରୁ ଫେରୁଥିବା ବେଳେ ସନ୍ତୋଷ ଏବଂ କିଛି ସ୍ଥାନୀୟ ଯୁବକଙ୍କ ସହିତ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଫଳରେ ସ୍ଥାନୀୟ ପିଲାମାନେ ସନ୍ତୋଷକୁ ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପରିବାର ଲୋକ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । କରଞ୍ଜିଆ ପହଞ୍ଚିବା ପୁର୍ବରୁ ରାସ୍ତାରେ ସନ୍ତୋଷର ପ୍ରାଣବାୟୁ ଉଡ଼ି ଯାଇଥିଲା । କରଞ୍ଜିଆ ଉପଖଣ୍ଡ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ସନ୍ତୋଷଙ୍କ ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପରିବାର ଲୋକ ମୃତ ଦେହକୁ ରାସ୍ତାରେ ରଖି ଦୋଷୀକୁ ଗିରଫବାକୁ ଦାବି କରିଛନ୍ତି । ଗ୍ରାମବାସୀମାନେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ସନ୍ତୋଷର ବନ୍ଧୁ ବୀରେନ୍ଦ୍ରକୁ ଅଟକ ରଖି ପଚରାଉଚରା କରୁଛି ।