ଭୁବନେଶ୍ୱର: ଭରତପୁର ଥାନା ମାମଲାରେ ଜନ ସାଧାରଣମାନେ ସତ୍ୟପାଠ ଦାଖଲ କରି ପାରିବେ । ଯିଏ ସେହି ମାମଲ ସମ୍ପର୍କରେ କିଛି ଜାଣିଥିବେ ସେମାନେ ସତ୍ୟପାଠ ଜରିଆରେ ଜଣାଇ ପାରିବେ । ଏ ନେଇ ତଦନ୍ତ ଭାର ନେଇଥିବା ବିଚାର ବିଭାଗୀୟ ତଦନ୍ତର ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କମିଶନଙ୍କ ପକ୍ଷରୁ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭରତପୁର ଥାନାରେ ମେଜର ଏବଂ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ କମିଶନଙ୍କ ତଦନ୍ତ କରୁଛି । ଆୟୋଗଙ୍କ ପକ୍ଷରୁ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଘଟଣା ବାବଦରେ ଜାଣିଥିବା ସାଧାରଣ ଲୋକ, ସମ୍ବାଦିକ ଏବଂ ପୁଲିସ ଆଦି ସମସ୍ତେ ସତ୍ୟପାଠ ଜରିଆରେ ନିଜର ତଥ୍ୟ ଦେଇ ପାରିବେ । ସେହିପରି ଆଗାମୀ ଦିନରେ ଏଭଳି ଘଟଣା ଯେପରି ନ ଘଟେ ସେଥିପ୍ରତି କଣ ପଦକ୍ଷେପ ନିଆଯାଇ ପାରିବ ସେ ନେଇ ମଧ୍ୟ ମତାମତ ଦେଇ ପାରିବେ ।
ଅକ୍ଟୋବର ୫ (ଆଜିଠାରୁ) ରୁ ୨୧ ଦିନ ଯାଏଁ ସତ୍ୟପାଠ ଦାଖଲ କରି ପାରିବେ । ଏଥିପାଇଁ ଅଫଲାଇନରେ ଅଫିସ କାର୍ଯ୍ୟ ଦିବସରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ ଟା ମଧ୍ୟରେ ଭୁବନେଶ୍ୱର ସର୍କିଟ୍ ହାଉସ ଅଫିସରେ ଥିବା ଏକ ସ୍ୱତନ୍ତ୍ର ବାକ୍ସରେ ସତ୍ୟପାଠର ଲିଖିତ ତଥ୍ୟ କିମ୍ବା ମତାମତ ଦାଖଲ କରି ପାରିବେ । ସେହିପରି ଏ ସମ୍ପର୍କରେ କିଛି ଜାଣିବାକୁ ଚାହୁଁଥିଲେ ପୂର୍ବାହ୍ନ ୧୦ ଟାରୁ ୪ଟା ଯାଏଁ ଯୋଗାଯୋଗ କରିପାରିବେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ମାମଲାରେ ଉଭୟ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଘଟଣାର ତଦନ୍ତ କରୁଛି । ଜଷ୍ଟିସ ଦାଶଙ୍କ କମିଟି ତଦନ୍ତ କରି ୬୦ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ।
ଅନ୍ୟପକ୍ଷରେ ଘଟଣାରେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ ଜାରି ରଖିଛି । ମାମଲାର ସତ୍ୟତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ନିଲମ୍ଵିତ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏଏସ୍ଆଇ ବୈଶାଲିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ, ସଲିଳାମୟୀ ସାହୁ ଏବଂ ନିଲମ୍ବନ ହୋଇ ନଥିବା ଏଏସ୍ଆଇ ପ୍ରଶାନ୍ତ ମହାରଣାଙ୍କର ପଲିଗ୍ରାଫ ଟେଷ୍ଟ କରିଛି । ଏସ୍ଆଇଙ୍କୁ ପ୍ରଶାନ୍ତ ମହାରଣା ସ୍ୱତନ୍ତ୍ର ସାକ୍ଷୀଭାବେ କ୍ରାଇମବ୍ରାଞ୍ଚ ନେଇଛି ।