ପୁରୀ: ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଘଟିଛି ଏକ ଜଘନ୍ୟ ଅପରାଧ । ଜଣେ ଦୋକାନୀଙ୍କୁ ପଥରରେ ଛେଚି ନିର୍ମମଭାବେ ହତ୍ୟା କରାଯାଇ ଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି ।
ଟାଉନ୍ ଥାନା ଅନ୍ତର୍ଗତ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ ମାର୍କେଟ୍ ଛକ ନିକଟରେ ଏକ ଜଳଖିଆ ଦୋକାନ କରିଥିଲେ । ଗତକାଲି ସୁଦର୍ଶନ ଦୋକାନ ବନ୍ଦ କରି ବାହାରି ଥିଲେ । ମାତ୍ର ସେ ଆଉ ଘରେ ପହଁଚି ନ ଥିଲେ । ତେବେ ଆଜି ସକାଳୁ ନରେନ୍ଦ୍ର କୋଣ ନିକଟସ୍ଥ ବିଶ୍ୱେଶ୍ୱରୀ ମନ୍ଦିର ପାଖରେ ଥିବା ଶ୍ରୀସେତୁ ତଳେ ତାଙ୍କର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏ ନେଇ ସ୍ଥାନୀୟ ଲୋକ ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥାଳରେ ପହଁଚି ମୃତଦେହକୁ ଜବତ କରିଛି । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।