କନ୍ଧମାଳ: ଜଣେ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ବାସଭବନରୁ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଖଇରପୁର ଗାଁର ଜଗନ୍ନାଥ ବେହେରା । ସେପଟେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଉଭୟ ବିବାହିତ ହୋଇଥିବାବେଳେ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଜଗନ୍ନାଥ ବେହେରା ଗତ ରବିବାର ଦିନ ପଇସା ଆଣିବାକୁ ଯାଉଛନ୍ତି କହି ବାଇକରେ ଭୁବନେଶ୍ୱରରୁ କନ୍ଧମାଳ ଯାଇଥିଲେ । ସେଠାରେ ସେ କନ୍ଧମାଳ କ.ନୂଆଗାଁ ଥାନା କୁଡୁତୁଲି ଅଞ୍ଚଳର ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଭେଟିଥିଲେ । ଉଭୟ ମହିଳାଙ୍କ ସରକାରୀ କ୍ୱାଟର୍ସରେ କଥାବାର୍ତ୍ତା ହୋଇଥିଲେ । ଏହା ପରେ ଉଭୟଙ୍କ କୌଣସି କଥାକୁ ନେଇ ବଚସା ହେବା ପରେ ଏକ କଇଁଚିରେ ଜଗନ୍ନାଥ ଉକ୍ତ ମହିଳାଙ୍କ ମୁଣ୍ଡ ଓ ମୁହଁକୁ ଆକ୍ରମଣ କରିଥିଲେ । ମହିଳା ଜଣକ ପ୍ରାଣ ବିକଳରେ ଘର ବାହାରକୁ ଚାଲି ଆସିଥିଲେ । ଏହା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ ।
ସେପଟେ ଜଗନ୍ନାଥ ହଠାତ୍ କବାଟ ବନ୍ଦ କରି ଫ୍ୟାନରେ ଝୁଲି ପଡ଼ିଥିଲେ । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେବା ସହ ଉକ୍ତ ମହିଳାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ରହିଛି । ଖବର ପାଇ କ. ନୂଆଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଜଗନ୍ନାଥଙ୍କୁ ଉଦ୍ଧାର କରିଥିଲା । ପୁଲିସ ଓ ସାଇଣ୍ଟିଫିକ ଟିମ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।
ମହିଳା ବିବାହିତ ହୋଇଥିବାବେଳେ ତାଙ୍କର ସ୍ୱାମୀ ଅଛନ୍ତି । ଅନ୍ୟ ଜଗନ୍ନାଥ ମଧ୍ୟ ବିବାହିତ ଅଛନ୍ତି ଏବଂ ତାଙ୍କର ମଧ୍ୟ ସ୍ତ୍ରୀ ରହିଛି । କେଉଁ କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ତାହା ଜଣା ପଡ଼ି ନ ଥିବାବେଳେ ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଥିବା ସନ୍ଦେହ କରାଯାଉଛି । ତେବେ ଜଗନ୍ନାଥଙ୍କ ପରିବାର ଆତ୍ମହତ୍ୟାକୁ ଖଣ୍ଡନ କରିବା ସହିତ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛି ।