ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ସ୍କର୍ପିଓରେ ଦୁଷ୍କର୍ମ କରାଯାଇଛି। ମହିଳାଙ୍କ ଅଭିଯୋଗ ଯେ, ଲିଫ୍ଟ ଦେଇ ତାଙ୍କ ସହିତ ପୂରା ରାତି ଦୁଷ୍କର୍ମ କରାଯାଇଛି। ଏହା ପରେ ସକାଳୁ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି। ପୀଡିତାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପୁଲିସ କହିଛି, ମାମଲା ସନ୍ଦିଗ୍ଧ। କାରଣ ଘଟଣା ଏକ ମାସର ପୁରୁଣା। ମହିଳା ଜଣକ ବହରାଇଚ ଅଞ୍ଚଳର ନିବାସୀ ଏବଂ ସେ ଲକ୍ଷ୍ନୌର ଇନ୍ଦିରାନଗରରେ ନିଜର ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଗତ ଏପ୍ରିଲ ୧ ତାରିଖ ରାତି ୧୦ଟାରେ ସେ ବହରାଇଚ ଯିବା ପାଇଁ ଚିନହଟ ଥାନା ଅଧୀନ କାମତା ଛକରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଏକ ଧଳା ସ୍କର୍ପିଓ ମହିଳାଙ୍କ ସାମ୍ନାରେ ପହଞ୍ଚି ଥିଲା।
ଏହା ପରେ ଗାଡ଼ି ଚାଳକ ମହିଳାଙ୍କୁ କେଉଁଠିକୁ ଯିବେ ବୋଲି ପଚାରିଥିଲା। ଉତ୍ତରରେ ମହିଳା କହିଥିଲେ, ବହରାଇଚ ଯିବାର ଅଛି। ବହରାଇଚରେ ଛାଡ଼ି ଦେବି କହିଥିଲା କାର ଚାଳକ। ପୀଡିତାଙ୍କ ଅଭିଯୋଗ ଯେ, ତାଙ୍କୁ ମଟିୟାରୀ ଛକରୁ ଦେବାରୋଡ ଆଡ଼କୁ ନେଇଯାଇଥିଲା। ସେ ଯେତେ ବେଳେ ଏହାକୁ ବିରୋଧ କଲେ, ଅଭିଯୁକ୍ତ ଧମକ ଦେଇଥିଲା। ମୁଁ ଯାହା କହୁଛି, ତାହା କର, ନହେଲେ ଜୀବନରୁ ମାରିଦେବି। ଏହା ପରେ ପୀଡିତାଙ୍କୁ ଅଭିଯୁକ୍ତ ଅସଦାଚରଣ କରିଥିଲା। ବିରୋଧ କରିବାରୁ ପ୍ରଥମେ ଏକ ଶକ୍ତ ଚାପୁଡ଼ା ମାରିଥିଲା। ଏହା ପରେ ଦୁଷ୍କର୍ମ କରିଥିଲା।
ଅଭିଯୁକ୍ତ ରାତିସାରା ଦୁଷ୍କର୍ମ ପରେ ପୀଡିତାଙ୍କୁ ସକାଳୁ ଏକ ନିର୍ଜନ ସ୍ଥାନରେ ଗାଡ଼ିରୁ ଫିଙ୍ଗି ଦେଇଥିଲା। କିନ୍ତୁ ଅଭିଯୁକ୍ତର ଆଧାରକାର୍ଡ ସେଠାରେ ପଡ଼ିଥିଲା, ଯେଉଁଥିରେ ତାର ପରିଚୟ ଗାଜିପୁର ନିବାସୀ ଭରତ ରାୟ ଏବଂ ଡ୍ରାଇଭରଙ୍କ ନାମ ସଂଜୀବ ହୋଇଥିବା ଜଣାପଡ଼ିଛି। ଡସିପି (ପୂର୍ବ) ପ୍ରବଳ ପ୍ରତାପ ସିଂହ କହିଛନ୍ତି, ପୂରା ମାମଲା ଉପରେ ମହିଳାଙ୍କ ଅଭିଯୋଗ ସାମାଜିକ ଗଣମାଧ୍ୟମ ଜରିଆରେ ମିଳିଛି। ଜଣାପଡ଼ିଛି ଯେ, ମହିଳା ଜଣକ ବହରାଇଚ ନିବାସୀ ଅଟନ୍ତି। ଲକ୍ଷ୍ନୌ ପୁଲିସ ଘଟଣାର ତଦନ୍ତ କରୁଛି।