ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଅମାନୁଷିକ କାମ ଦେଖିବାକୁ ମିଳିଛି। ସ୍ଥାନୀୟ ତିଲକନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ପଡ଼ୋଶୀ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରତିବାଦ କରିବାରୁ ସେ ତାଙ୍କୁ ୨୫ ଥର ଛୁରି ମାଡ଼ କରିଥିଲା। ମହିଳାଙ୍କ ଅଣ୍ଟା, ମୁଣ୍ଡ, ଛାତି, ପାଦ, ପେଟ ଇତ୍ୟାଦିରେ ଛୁରା ମାଡ଼ ହୋଇଛି। ଆହତ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।
ରିପୋର୍ଟ ଅନୁସାରେ ମହିଳା ଜଣକ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହ ତିଲକ ନଗର ଅଞ୍ଚଳରେ ରୁହନ୍ତି। କିନ୍ତୁ ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ଚତୁର୍ଥ ମହଲାର ବାଲକୋନି ଦେଇ ଘରେ ପଶିଥିଲା। ମହିଳା ଜଣକ ଜୀବନ ବଞ୍ଚାଇବା ପାଇଁ ଚତୁର୍ଥ ମହଲାରୁ ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। କାମୁକ ପୁରୁଷ ମହିଳାଙ୍କ ପିଛା କରିଥିଲା। ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା।
ଗୁରୁତର ମହିଳାଙ୍କୁ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କର ଚିକିତ୍ସା ଜାରି ଥିବା ବେଳେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଆକ୍ରମଣରେ ବ୍ୟବହୃତ ଏକ ଛୁରୀ ମଧ୍ୟ ଜବତ ହୋଇଛି।
ଅଧିକ ପଢ଼ନ୍ତୁ: ଶୁଭିଲା ପାଲେଷ୍ଟାଇନ ଜିନ୍ଦାବାଦର ସ୍ଲୋଗାନ