ପ୍ୟାରିସ: ସାମାଜିକ ଗଣମାଧ୍ୟମ ‘ଟେଲିଗ୍ରାମ ମେସେଜିଂ ଆପ୍’ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ଟେଲିଗ୍ରାମ ମେସେଜିଂ ଆପ୍ର ପ୍ରତିଷ୍ଠାତା ତଥା ସିଇଓ ପାଭେଲ ଡୁରୋଭଙ୍କୁ ଶନିବାର ସନ୍ଧ୍ୟାରେ ପ୍ୟାରିସ୍ ବାହାରେ ଥିବା ବୁର୍ଜୁଆ ବିମାନବନ୍ଦରରୁ ଗିରଫ କରାଯାଇଛି। ଟିଏଫ୍ ଓ୍ଵାନ୍ ଅନୁଯାୟୀ, ଡୁରୋଭ ତାଙ୍କ ପ୍ରାଇଭେଟ୍ ବିମାନରେ ଅଜରବୈଜାନକୁ ଯାତ୍ରା କରୁଥିଲେ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଟେଲିଗ୍ରାମ ଆପ୍ ସହ ଜଡ଼ିତ ଏହି ମାମଲାରେ ଡୁରୋଭଙ୍କୁ ଗିରଫ କରାଯାଇଛି। ଫ୍ରାନ୍ସ ପୁଲିସ ଟେଲିଗ୍ରାମରେ ମଡରେଟରଙ୍କ ଅଭାବ ଉପରେ ତଦନ୍ତକୁ ଫୋକସ୍ କରିଛି। ପୁଲିସ କହିଛି ଯେ ମଡରେଟରଙ୍କ ଅଭାବ ଯୋଗୁଁ ମେସେଜିଂ ଆପରେ ଅପରାଧିକ କାର୍ଯ୍ୟକଳାପ ନିରବଚ୍ଛିନ୍ନ ଭାବେ ଜାରି ରହିଥିଲା।
ଫୋର୍ବସ ଅନୁସାରେ ଡୁରୋଭଙ୍କ ସମ୍ପତ୍ତି ୧୫.୫ ବିଲିୟନ ଡଲାର। ଡୁରୋଭ କହିଛନ୍ତି ଯେ କିଛି ସରକାର ତାଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ ୯୦୦ ନିୟୁତ ସକ୍ରିୟ ଉପଭୋକ୍ତା ଥିବା ଏହି ଆପ୍ ଏକ ନିରପେକ୍ଷ ପ୍ଲାଟଫର୍ମ ହେବା ଉଚିତ୍। ସେପଟେ ରବିବାର ଅପରାହ୍ନରେ ବିଶ୍ୱର ବିଭିନ୍ନ ଫ୍ରାନ୍ସ ଦୂତାବାସରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଅନେକ ରୁଷୀୟ ବ୍ଲଗର ଆହ୍ୱାନ ଦେଇଛନ୍ତି।
ସୂଚନାଯୋଗ୍ୟ, ଫେସବୁକ୍, ୟୁଟ୍ୟୁବ୍, ହ୍ଵାଟ୍ସଆପ୍, ଇନଷ୍ଟାଗ୍ରାମ, ଟିକ୍ ଟକ୍ ଏବଂ ୱିଚାଟ୍ ପରେ ଟେଲିଗ୍ରାମ ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ମାନ୍ୟତା ପାଇଛି। ଆସନ୍ତା ବର୍ଷ ଏହାର ଏକ ବିଲିୟନ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଦୁବାଇରେ ଥିବା ଟେଲିଗ୍ରାମକୁ ରୁଷୀୟ ବଂଶୋଦ୍ଭବ ଡୁରୋଭ ପ୍ରତିଷ୍ଠା କରିଥିଲେ। ୨୦୧୪ରେ ସେ ରୁଷିଆ ଛାଡିଥିଲେ।
ଅଧିକ ପଢ଼ନ୍ତୁ: ଜମ୍ମୁ-କଶ୍ମୀର ଯାଉଥିବା ଟ୍ରକ୍ରୁ ୫୦ କୁଇଣ୍ଟାଲ ଗୋମାଂସ ଜବତ