କୁଶୀନଗର: ନକଲି ନୋଟ୍ କାରବାରରେ ସମ୍ପୃକ୍ତ ଥିବା ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ଉତ୍ତରପ୍ରଦେଶର କୁଶୀନଗର ପୁଲିସ। ଏହି ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୫ ଲକ୍ଷ ୬୨ ହଜାର ଟଙ୍କାର ନକଲି ନୋଟ୍ ସହ ୧୦ଟି ପିସ୍ତଲ ଓ ୪ଟି ଟୁଇନ୍ ବୋମା ଜବତ କରାଯାଇଛି। ଏହାବ୍ୟତୀତ ୨ଟି ବିଳାସପୂର୍ଣ୍ଣ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ସମାଜବାଦୀ ପାର୍ଟି ସହ ଜଡ଼ିତ ନେତା ବୋଲି କୁହାଯାଉଛି। ଘଟଣାଟି ଜିଲ୍ଲାର ତମକୁହି ରାଜ ଥାନା ଅଞ୍ଚଳର।
ପୁଲିସ ଅଧୀକ୍ଷକ ସନ୍ତୋଷ ମିଶ୍ରଙ୍କ ନେତୃତ୍ବରେ ପୁଲିସ ଟିମ୍ ନକଲି ନୋଟ୍ କାରବାରର ମାଷ୍ଟରମାଇଣ୍ଡ ମହମ୍ମଦ ରଫିକ୍ ଅହମ୍ମଦଙ୍କୁ ଗିରଫ କରିଛି। ସେ ସମାଜବାଦୀ ଲୋହିଆ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ମଧ୍ୟ ଅଛନ୍ତି। ରଫିକ୍ ଅହମ୍ମଦ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୧ଟି ଗୁରୁତର ଅପରାଧିକ ମାମଲା ରହିଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଔରଙ୍ଗଜେବଙ୍କ ନାମରେ ୮ଟି, ନୌଶାଦଙ୍କ ନାଁରେ ୪ଟି, ପରଭେଜ୍ ଏଲାହିଙ୍କ ନାଁରେ ୮ଟି, ଶେଖ୍ ଜମାଲୁଦ୍ଦିନ୍ଙ୍କ ନାଁରେ ୪ଟି ଓ ନିଆଜୁଦ୍ଦିନ ଓରଫ ମୁନ୍ନା ନାମରେ ଅନେକ ମାମଲାରେ ଗୁରୁତର ମାମଲା ରହିଛି।
ଏସପିଙ୍କ କହିବା ଅନୁଯାୟୀ, ଏହି ଦୁର୍ବୃତ୍ତମାନେ ୟୁପି-ବିହାରର ସୀମାନ୍ତ ଅଞ୍ଚଳରେ ନକଲି ନୋଟ୍ କାରବାର କରୁଥିଲେ। ଏହି ଗ୍ୟାଙ୍ଗର ତାର ନେପାଳ ସହ ଜଡିତ । ଏହି ମାମଲା ପଡ଼ୋଶୀ ଦେଶ ନେପାଳ ସହ ଜଡ଼ିତ ହୋଇଥିବାରୁ କୁଶୀନଗର ପୁଲିସ ଆକ୍ସନ ମୋଡକୁ ଆସିଥିଲା। ପୁଲିସ ଏହି ଗ୍ୟାଙ୍ଗନିକଟରୁ ୫.୬୨ ଲକ୍ଷ ଟଙ୍କାର ନକଲି ନୋଟ୍, ନକଲି ମୁଦ୍ରାରୁ ରୂପାନ୍ତରିତ ୧.୧୦ ଲକ୍ଷ ଟଙ୍କା, ନେପାଳ ଜାତୀୟ ମୁଦ୍ରାରେ ୩,୦୦୦ ଟଙ୍କା, ୩୧୫ ବୋର ସହ ୧୦ଟି ପିସ୍ତଲ, ୩୦ଟି ଜୀବନ୍ତ ଗୁଳି, ୧୨ଟି ଖୋଲା ଗୁଳି, ୪ଟି ଦେଶୀ ବୋମା, ୧୩ଟି ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ପୁଲିସ ଟିମ୍ ଅପରାଧୀଙ୍କୁ ଗିରଫ କରି ଜେଲ୍ ପଠାଇଛି। ଅପରାଧୀଙ୍କ ସମ୍ପତ୍ତି ଜବତ ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୩ ଆହତ