ନୀଳଗିରିରେ ଅଭାବନୀୟ ଘଟଣା । ୨୦ ଦିନର ଝିଅକୁ ବିଷ ଇଞ୍ଜେକସନ ଦେଇଦେଲା ବାପା। ମୋର ଝିଅ ଦରକାର ନାହିଁ କହି ମାରିବାକୁ ଉଦ୍ୟମ । ଶ୍ୱଶୁର ଘରେ ପଶି ପିଶାଚ ବାପା ଝିଅ ଦେହରେ ବିଷ ଇଞ୍ଜେକସନ ଦେଇ ହତ୍ୟା ଉଦ୍ୟମ କରିଛି। ତେବେ ନବଜାତ ଝିଅକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତମାନ ତାର ଅବସ୍ଥା ସଙ୍କଟାପନ୍ନ ରହିଛି।
ଶିଶୁର ଅଜା ଭାଗୀରଥି ସିଂହଙ୍କ କହିବା ଅନୁସାରେ, ତାଙ୍କ ଝିଅ ୨୦ ଦିନ ତଳେ ଏକ ଘରୋଇ ହସ୍ପିଟାଲରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ହେଲେ କନ୍ୟା ଜନ୍ମ ହେବାକୁ ନେଇ ଜ୍ୱାଇଁ ଖୁସି ନ ଥିଲେ। ତେବେ ଗତକାଲି ସନ୍ଧ୍ୟାରେ କନ୍ୟା ସନ୍ତାନକୁ ଦେଖିବାକୁ ଆସିଥିଲେ ଜ୍ୱାଇଁ। ଆଜି ସକାଳେ ଘରେ କେହି ନଥିବା ସମୟରେ ସୁଯୋଗ ଅପେକ୍ଷାରେ ଥିବା ପିଶାଚ ବାପା କନ୍ୟା ସନ୍ତାନକୁ ବିଷ ଇଞ୍ଜେକସନ ଦେଇ ଦେଇଥିଲେ। ଶିଶୁଟି କାନ୍ଦିବାରୁ ଦୌଡ଼ି ଆସି ଝିଅ ଦେଖିବାବେଳେ ବିଷ ଇଞ୍ଜେକସନ ତଳେ ପଡିଥିବା ଦେଖି ଝିଅ ଚିତ୍କାର କରିଥିଲା। ପରେ ପରିବାର ଲୋକେ ଓ ଗାଁ ଲୋକେ ପଚାରିବାରୁ ସେ କନ୍ୟା ସନ୍ତାନ ଚାହୁଁ ନ ଥିବାରୁ ବିଷ ଇଞ୍ଜେକସନ ଦେଇଥିବା କହିଥିଲା l ପରେ କନ୍ୟା ସନ୍ତାନକୁ ଡାକ୍ତରଖାନା ନିଆଯାଇଥିଲା। ଏବେ ଶିଶୁଟିର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି l