ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କ୍ରାଇମ୍ ରେସ୍ପନ୍ସ ଟିମ୍ (ସିଆରଟି) ଓ ସେକ୍ଟର-୪୯ ପୁଲିସ ଶନିବାର ମିଳିତ ଭାବେ ଚଢ଼ାଉ କରି ଋଣ ଦେବା ଓ ବୀମା ପଲିସି କରାଇବା ବାହାନାରେ ଲୋକଙ୍କୁ ପ୍ରୋସେସିଂ ଫି’ ଅସୁଲି କରୁଥିବା ମିଛ କଲସେଣ୍ଟରର ପର୍ଦ୍ଦାଫାସ କରିଛି। ଏହି ଗ୍ରୁପର ୯ ଜଣ ମହିଳା ସମେତ ୧୧ ଜଣ ଅଭିଯୁକ୍ତ ସେକ୍ଟର-୫୧ ହୋଶିୟାରପୁରରୁ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବସରଖର ଆଶୀଷ କୁମାର, ଫରିଦାବାଦର ଜିତେନ୍ଦ୍ର କୁମାର ବର୍ମା, ଛଲେରିର ପୁନମ, ସର୍ଫାବାଦର ଗରିମା, ବିହାରର ଛପରା ନିବାସୀ ନିଶା, ଭଦୋହୀର ରେଜୁ ଓରଫ ଦିବ୍ୟା, ଫିରୋଜବାଦର ଲଭଲୀ ଯାଦବ, ଆଜମଗଡ଼ର ଆରତୀ କୁମାରୀ, ଦିଲ୍ଲୀର କାଜଲ କୁମାରୀ, ସରିତା ଓ ବବିତା।
ପୁଲିସ ଟିମ୍ ଅଭିଯୁକ୍ତମାନଙ୍କ ଠାରୁ ୨୫ଟି ମୋବାଇଲ, ୮୧ଟି ଡାଟା ସିଟ୍, ଏକ ରେଜିଷ୍ଟର, ଏକ କଳା ଡାଏରି, ୨ଟି ନକଲି ଆଧାରକାର୍ଡ ଜବତ କରିଛି। ସେକ୍ଟର-୫୧ସ୍ଥିତ ଶର୍ମା ମାର୍କେଟର ୪ର୍ଥ ମହଲାରେ ପୁଲିସକୁ ମିଛ କଲ ସେଣ୍ଟର ପରିଚାଳିତ ହେଉଥିବା ନେଇ ସୂଚନା ମିଳିଥିଲା। ପୁଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନେ ମିଛ କଲସେଣ୍ଟର ପରିଚାଳନା କରୁଥିଲେ।
ପୁଲିସ କହିଛି, କଲ ସେଣ୍ଟରରେ କାର୍ଯ୍ୟରତ ଯୁବତୀମାନେ ଦିଲ୍ଲୀ-ଏନସିଆରର ବାହାରର ରାଜ୍ୟର ଲୋକଙ୍କୁ ଟାର୍ଗେଟ କରୁଥିଲେ। ବୀମା ପଲିସି କରିବା ନାମରେ ପ୍ରଥମେ ପ୍ରତିଶ୍ରୁତି ଦେଉଥିଲେ। ପୁଣି ପ୍ରତିଶ୍ରୁତିରେ ପଡ଼ିଥିବା ଲୋକଙ୍କୁ ପ୍ରୋସେସିଂ ଓ ଅନ୍ୟ କାଗଜ ପାଇଁ ଟଙ୍କା ମାଗୁଥିଲେ। ଅଭିଯୁକ୍ତମାନେ ନକଲି ଆଇଡି ମାଧ୍ୟମରେ ମୋବାଇଲ ସିବ କାର୍ଡ ଆଣୁଥିଲେ। କଲସେଣ୍ଟରରେ କାର୍ଯ୍ୟରତ ମହିଳାମାନେ ୧୦ରୁ ୧୨ ହଜାର ଟଙ୍କା ଦରମା ନେଉଥିଲେ।
ଡିସିପି (ଅପରାଧ) ଶକ୍ତି ମୋହନ ଅୱସ୍ଥୀ କହିଛନ୍ତି, ଅଭିଯୁକ୍ତ କର୍ଣ୍ଣାଟକର ଅରବିନ୍ଦ ନାମରେ ଜଣେ ବ୍ୟକ୍ତିଙ୍କ ପିଏନ୍ବି ବ୍ୟାଙ୍କର ଏକ ଖାତାକୁ ମାସିକ ୧୦ ହଜାର ଟଙ୍କା ହିସାବରେ ଭଡ଼ାସୂତ୍ରରେ ଆଣିଥିଲେ। ଡେବିତଟ କାର୍ଡ ଠକ ଗ୍ୟାଙ୍ଗ ପାଖରେ ଥିଲା। ଠକେଇରୁ ଯେତେବେଳେ ଟଙ୍କା ଆସିଥାଏ, ଅଭିଯୁକ୍ତ ତୁରନ୍ତ ଟଙ୍କାକୁ ବାହାର କରି ନେଇଥାଏ। ଟଙ୍କା ଆସିବାର ରିପୋର୍ଟ କଳା ଡାଏରିରେ ଉଲ୍ଲେଖ ରହିଛି। ଆଶୀଷ ଦିଲ୍ଲୀ ବିଶ୍ବବିଦ୍ୟାଳୟର ବିକମ୍ ଛାତ୍ର। ୨୦୧୯ରେ ଆଶୀଷ ଓ ଜିତେନ୍ଦ୍ର ଏସ୍ବିଆଇ ଜୀବନ ବୀମାରେ ପଲିସି ଏଜେଣ୍ଟ ଭାବେ କାମ କରୁଥିଲେ। ଅଭିଯୁକ୍ତମାନେ ଇଣ୍ଡିଆ ମାର୍ଟର ସାଇଟରୁ ୨୫୦୦ ଟଙ୍କାରେ ପାଖାପାଖି ୧୦,୦୦୦ ଲୋକଙ୍କର ତଥ୍ୟ କିଣିଥିଲେ। ଏହି ଯୋଗାଯୋଗ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ।