ପାଇଖାନା ନିର୍ମାଣକୁ ନେଇ ଘଟିଗଲା ତୁମୁଳ କାଣ୍ଡ। ଶାବଳରେ ପିଟିପଟି ମହିଳାଙ୍କୁ ମାରିଦେଲେ ପଡୋଶୀ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏଭଳି ଏକ ଅମାନବୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁରେ । ଜମିବାଡି ବିବାଦରୁ ଘଟିଛି ଏକ ବଡ ଅଘଟଣ ।ମହିଳାଙ୍କୁ ମାରିଦେଲେ ପଡୋଶୀ।ମୃତ ମହିଳା ହେଉଛନ୍ତି ୫୨ବର୍ଷିୟା ସୁଶୀଳା ନାୟକ । ମିଳିଥିବା ସୂଚନା ଅନୁଯାୟୀ ସଂଗ୍ରାମପୁର ଗାଁର ସୁଶୀଳା ନାୟକଙ୍କ ଜମିରେ ତାଙ୍କ ପଡୋଶୀ ଏକ ପାଇଖାନା ନିର୍ମାଣ କରିଥିଲେ । ଏହାକୁ ନେଇ ଗତ ଦୁଇବର୍ଷ ଧରି ଉଭୟ ପରିବାର ଭିତରେ ବାଦ ବିବାଦ ଲାଗି ରହିଥିଲା । ତେବେ ଉଭୟ ପକ୍ଷ ରାଜକନିକା ଥାନାରେ ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିଲେ କିନ୍ତୁ ଏହି ଘଟଣାର ସମାଧାନ ପାଇଁ ପୋଲିସ କିଛି ଅଧିକ ସାକ୍ଷୀ ଆଣିବା ପାଇଁ କହି ଉଭୟ ପକ୍ଷଙ୍କୁ ଘରକୁ ପଠାଇ ଦେଲା । ସୁଶୀଳା ଏବଂ ତାଙ୍କ ପରିବାର ଲୋକେ ଘରେ ପହଁଞ୍ଚିବା ପରେ ତାଙ୍କ ପଡୋଶୀ ରକ୍ତମୁଖା ହୋଇ ବିଭିନ୍ନ ମାରଣାସ୍ତ୍ର ରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ପଡ଼ୋଶୀ ସୁନାକର ନାୟକ, ମହେଶ୍ଵର ନାୟକ, ଅନୁସୂୟା ନାୟକ ଙ୍କ ଆକ୍ରମଣ ରେ ସୁଶୀଳା ଗୁରୁତର ଆହତ ହୋଇଥିଲାବେଳେ ତାଙ୍କ ପୁତୁରା ମନୋରଞ୍ଜନ ନାୟକ ଓ ପବିତ୍ର ନାୟକ ମଧ୍ଯ ଆହତ ହୋଇଥିଲେ । ଗୁରୁତର ଆହତମାନଙ୍କୁ କେନ୍ଦ୍ରାପଡା ଜିଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ଗୁରତର ସୁଶୀଳାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣ ଆହତ ମନୋରଞ୍ଜନ ଓ ପବିତ୍ର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଦ୍ଯ ସୂଚନା ଅନୁଯାୟୀ ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।