ଦକ୍ଷିଣ ଦିଲ୍ଲୀ: ସାଇବର ଠକେଇର ଅନେକ ଘଟଣାକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ଜିଲ୍ଲାର ସାଇବର ଟିମ୍ ଅଭିଯାନ ଆରମ୍ଭ କରି ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଟିମ୍ ୭ ଦିନ ଧରି ୭ଟି ରାଜ୍ୟରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିଛି। ଷ୍ଟକ୍ ମାର୍କେଟରେ ନିବେଶ ନାଁରେ ଠକେଇ କରିବା ସହ ୱାର୍କ ଫ୍ରମ ହୋମ୍, ଡ୍ରାଇଭର ଟ୍ରକ୍ ପ୍ଲସ କାର୍ଡ, ୯୯ ଏକର ଓ କ୍ୱିକର ଆପ୍ ଜରିଆରେ ଲୋକଙ୍କ କଠିନ ରୋଜଗାର ଟଙ୍କାକୁ ଗୋଟିଏ ଝଟ୍କାରେ ଉଡ଼ାଇ ଦେଉଥିଲେ ଅଭିଯୁକ୍ତ। ସେମାନଙ୍କ ଠାରୁ ପୁଲିସ ୪୨ଟି ମୋବାଇଲ, ୨୧ଟି ସିମ୍ କାର୍ଡ, ୬ଟି ଏଟିଏମ୍ ଓ ୨ଟି ନକଲି ଆଧାର କାର୍ଡ ଜବତ କରିଛି।
ପୁଲିସ ଡେପୁଟି କମିସନର (ଦକ୍ଷିଣ-ପଶ୍ଚିମ) ରୋହିତ ମୀନା କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ରାଜସ୍ଥାନ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଗିରଫ କରାଯାଇଛି। ଏଥିରେ ଟ୍ରକ୍ ପ୍ଲସ କାର୍ଡ ବ୍ୟବହାର କରୁଥିବା ଡ୍ରାଇଭର, ୯୯ ଏକର ଓ କ୍ୱିକର ଆପ୍, ନକଲି ଗ୍ରାହକ ସେବା, ଅନଲାଇନ୍ ଚାକିରି, ଷ୍ଟକ ବଜାରରେ ପୁଞ୍ଜିନିବେଶ ଏବଂ ସୋସିଆଲ ମିଡିଆରେ ବନ୍ଧୁତା ରହିଛି।
ସେମାନଙ୍କ ଆକାଉଣ୍ଟରୁ ୬.୯୩ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ପୁଲିସ ସେମାନଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ୍ କରିଛି। ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ରେ ପଞ୍ଜୀକୃତ ହୋଇଥିବା ୧୪୮ଟି ମାମଲାରେ ସେମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି, ଯେଉଁଥିରୁ ୭ଟିର ସମାଧାନ ହୋଇଛି।