ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭୀ ଜେଲରେ ବିଚାରଧୀନ କଏଦୀ ଜୀବନ କାଟୁଥିବା ଗ୍ୟାଙ୍ଗଷ୍ଟର ଜୟେଶ ପୂଜାରୀ ଓରଫ ଶକୀଲ ଜିଲ୍ଲା ଅଦାଲତରେ ମାଡ଼ ଖାଇଛି। ଏହାର କାରଣ ହେଲା ସେ କଥିତ ଭାବେ ପାକିସ୍ତାନ ଜିନ୍ଦାବାଦ୍ ଶ୍ଲୋଗାନ ଦେଇଛି। ଏହି ଘଟଣା ସେହି ସମୟରେ ହୋଇଛି, ଯେତେବେଳେ ପୂଜାରୀକୁ ୨୦୧୮ର ଏକ ମାମଲାରେ ଶୁଣାଣି ପାଇଁ କୋର୍ଟକୁ ନିଆଯାଇଥିଲା। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଶକୀଲକୁ ଜିଲ୍ଲା ଅଦାଲତରେ ହାଜର କରାଯାଉଥିଲା। ସେହି ସମୟରେ ସେ ଅଦାଲତ ପରିସରରେ ‘ପାକିସ୍ତାନ ଜିନ୍ଦାବାଦ’ କହିଥିଲା।
ଶକୀଲକୁ ଉପସ୍ଥିତ ପୁଲିସ କର୍ମଚାରୀମାନେ ଥାନାକୁ ନେଇଥିଲେ। ତା ନାମରେ ପୁଣି ଏକ ମାମଲା ରୁଜୁ କରାଯାଇଥିଲା। ଜଣେ ପୁଲିସ ଅଧିକାରୀ କହିଛନ୍ତି, ଶକୀଲ ଜଣେ ଅପରାଧୀ। ସେ ଡବଲ ମର୍ଡର ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି। ସେହିପରି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ମଧ୍ୟ ଧମକ ଦେଇଥିଲା। ପୁଲିସ ଘଟଣାର ଅଧିକ ଯାଞ୍ଚ କରୁଛି। ସେ କାହିଁକି ପାକିସ୍ତାନ ସପକ୍ଷରେ ଏହି ଭଳି ଶ୍ଲୋଗାନ ଦେଇଥିଲା। ପୂଜାରୀ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ୨୯୫ ଏ (ଦୁର୍ଭାଗ୍ୟପୂର୍ଣ୍ଣ କାମ, ଯାହାର ଉଦ୍ଦେଶ୍ୟ କୌଣସି ବର୍ଗ ଅଥବା ଧାର୍ମିକ ବିଶ୍ବାସକୁ ଅପମାନ କରିବା ଅଥବା ଆଘାତ ଦେବା) ଓ ଧାରା ୫୦୫(୨)ରେ ମାମଲା ରୁଜୁ କରାଯାଇଛି। ପୁଲିସ କହିଛି ଯେ, ଅଭିଯୁକ୍ତକୁ ହିଣ୍ଡଲଗାସ୍ଥିତ କେନ୍ଦ୍ରୀୟ ଜେଲକୁ ପଠାଯିବ।