ଭୁବନେଶ୍ୱର/ବ୍ରହ୍ମପୁର: ଗଣ୍ଡଗୋଳ ବେଳେ ଆକ୍ରମଣରେ ଆହତ ବ୍ରହ୍ମପୁରରେ ବିଜେପି ସାଂସଦ ପ୍ରାର୍ଥୀଙ୍କୁ ମଙ୍ଗଳବାର ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ପାଣିଗ୍ରାହୀଙ୍କ ପଂଜରା ହାଡ଼ ଓ ଫୁସ୍ଫୁସ୍ରେ ଆଘାତ ଲାଗିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ସୋମବାର ସନ୍ଧ୍ୟାରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଗୋଷାଣୀ ନୂଆଗାଁସ୍ଥିତ ଉତ୍କଳମଣି ସ୍କୁଲ ବୁଥ୍ ଆଗରେ ମୁହାଁମୁହିଁ ହୋଇଥିଲେ । କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ଏହା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଶିବଶଙ୍କର ଦାସଙ୍କ ଆକ୍ରମଣରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଥିଲେ । ତାଙ୍କୁ ଏମ୍କେସିଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶ୍ରୀ ପାଣିଗ୍ରାହୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରିଛନ୍ତି ।
କୁହାଯାଉଛି ଯେ, ଶିବଶଙ୍କର ଦାସଙ୍କ ସମର୍ଥକ ମାନେ ବୁଥ ରିଗିଂ ଅଭିଯୋଗ କରୁଥିବା ବେଳେ ପ୍ରଦୀପଙ୍କ ସମର୍ଥକ ମାନେ ଇ ଭି ଏମ ସିଲ କୁ ନେଇ ପାଟିତୁଣ୍ଡ କରିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପ୍ରଦୀପଙ୍କ ଅଭିଯୋଗ କ୍ରମେ ସ୍ଵାଧୀନ ପ୍ରାର୍ଥୀ ଶିବ ଶଙ୍କର ଦାସ ଥାନାରେ ଅଟକ ରହିବା ପରେ ତାଙ୍କୁ ନିର୍ଦ୍ଦୋଷରେ ଛାଡ଼ିବା ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ପିଣ୍ଟୁଙ୍କ ଗୋଷ୍ଠୀ। ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ ମରାମରି ହେବା ସହ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା।