ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି । ଗତକାଲି ଢେଙ୍କାନାଳ ପରଜଙ୍ଗ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ ମାଟି ମାଫିଆ । ତହସିଲଦାରଙ୍କ ଉପରେ ଜେସିବି ଓ ଟ୍ରାକ୍ଟର ଚଢେଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ପରଜଙ୍ଗ ତହସିଲ ଅନ୍ତର୍ଗତ ପଥରଖମ୍ବ ଗାଁ ନିକଟରେ ସରକାରୀ ଜାଗାରୁ ମାଟି ଖୋଳି ନେଇ ଯାଉଥିଲେ ମାଫିଆ । ଏନେଇ ଖବର ପାଇ ଚଢାଉ କରିଥିଲେ ତହସିଲଦାର । ପରେ ମାଟି ମାଫିଆ ହାତରେ ଠେଙ୍ଗା ଧରି ତାଙ୍କୁ ଆକ୍ରମଣ କରିଥିଲେ । ତହସିଲଦାରଙ୍କ ସମେତ ସେଠାରେ ଉପସ୍ଥିତ ଥିବା ପରଜଙ୍ଗ ଆରଆଇ ଆଲୋକ କୁମାର ଲେଙ୍କା ଓ ତହସିଲ କର୍ମଚାରୀ ପ୍ରେମାନନ୍ଦ ବେହେରାଙ୍କୁ ବି ଛାଡି ନଥିଲେ ଆକ୍ରମଣକାରୀ । ପରେ ତହସିଲଦାରଙ୍କୁ ଓ ଆରଆଇଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ଘଟଣାରେ ସମ୍ପୃକ୍ତ ମୋଟ୍ ୭ ଜଣଙ୍କୁ ଗିରଫ ହୋଇଥିବା ଢେଙ୍କନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ଏମାନଙ୍କ ଛଡା ଅନ୍ୟ କାହାର ସମ୍ପୃକ୍ତି ରହିଥିବାର ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।