ଅମରାବତୀ: ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ଶନିବାର ଜଣେ ଛାତ୍ରୀଙ୍କୁ ତାଙ୍କ ପୂର୍ବ ପ୍ରେମିକ ନିଆଁ ଲଗାଇ ଦେଇଛନ୍ତି। ଅଭିଯୁକ୍ତଙ୍କ ନାଁ ବିଗ୍ନେଶ। ଏକାଦଶ ଶ୍ରେଣୀଛାତ୍ରୀ ପୀଡ଼ିତା ଜୀବନ ସହ ସଂଗ୍ରାମ କରୁଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ୍ ଆରମ୍ଭ କରିଛି। ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ପିଲାଦିନର ବନ୍ଧୁ।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ନିକଟରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ, କିନ୍ତୁ ସେ ତାଙ୍କ ବାଲ୍ୟ ବାନ୍ଧବୀଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁଥିଲେ। ଶନିବାର ସେ ପୀଡ଼ିତାଙ୍କୁ ଫୋନ୍ କରି ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କୁ ଦେଖା ନ କଲେ ଜୀବନ ହାରିଦେବେ ବୋଲି କହିଥିଲେ।
ପୀଡିତା ତାଙ୍କୁ ଭେଟିବାକୁ ରାଜି ହୋଇଥିଲେ ଏବଂ ତାଙ୍କ କଲେଜରୁ ଏକ ଅଟୋ ରିକ୍ସାରେ ଚଢ଼ିଥିଲେ। କିଛି ଦୂର ଯିବା ପରେ ଅଭିଯୁକ୍ତ ମଧ୍ୟ ତାଙ୍କ ସହ ଦେଖାକରିଥିଲେ। ସେଞ୍ଚୁରି ପ୍ଲାଇଉଡ୍ ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ସ୍ଥାନରେ ସେମାନେ ପହଞ୍ଚିଥିଲେ। ଦୁହିଁଙ୍କ ମଧ୍ୟରେ କ'ଣ ଘଟିଥିଲା ତାହା ଜଣାପଡ଼ିନଥିଲେ ମଧ୍ୟ କିଛି ସମୟ ପରେ ଅଭିଯୁକ୍ତ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକାର ଚିତ୍କାର ଶୁଣି ଆଖପାଖ କ୍ଷେତରେ କାମ କରୁଥିବା ଚାଷୀମାନେ ଦୌଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ।
ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୀଡ଼ିତାଙ୍କୁ ବଡ଼ଭେଲର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଡପା ସ୍ଥାନାନ୍ତର କରାଯାଇ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ରିମ୍ସ)ରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା। ପୀଡ଼ିତା ୮୦ ପ୍ରତିଶତ ପୋଡ଼ି ଯାଇଛନ୍ତି। ସେ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି ବୋଲି କଡାପା ଆରକ୍ଷୀ ଅଧୀକ୍ଷକ ହର୍ଷବର୍ଦ୍ଧନ କହିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଉଭୟ ନାବାଳିକା ଓ ଯୁବକ ବଡ଼ୱେଲ ସହରର ଗୋଟିଏ ଅଞ୍ଚଳର ବାସିନ୍ଦା ଏବଂ ସେମାନେ ପରସ୍ପରକୁ ପିଲାଦିନରୁ ଜାଣିଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଧିକାରୀଙ୍କ ସହ ଫୋନରେ କଥା ହୋଇ ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକୀୟ ସଡ଼କ ଭଲ ହୋଇଥିବାରୁ ଆମେରିକା ଧନୀ