ଭୋପାଳ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ, ଆମେ ଯେଉଁଭଳି ଭାବେ ନୂତନ ଜ୍ଞାନକୌଶଳବ୍ୟବହାର କରୁଛୁ, ୨୦୪୭ ସୁଦ୍ଧା ଭାରତର ରାସ୍ତା ଆମେରିକା ଠାରୁ ଭଲ ହୋଇଯିବ। ସଡ଼କ ଦୁର୍ଘଟଣାମୁକ୍ତ କରିବା ଉପରେ ଗୁରୁତ୍ୱ ରୋପ କରି ସେ କହିଛନ୍ତି ଯେ ଇଞ୍ଜିନିୟରିଂ ତ୍ରୁଟି ଯୋଗୁଁ ଦୁର୍ଘଟଣା ହେବା ଉଚିତ ନୁହେଁ। ଦେଶରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ପ୍ରାୟ ୧ ଲକ୍ଷ ୭୦ ହଜାର ଲୋକ ପ୍ରାଣ ହରାଉଛନ୍ତି। ଫଳରେ ଜିଡିପିରେ ୩ ପ୍ରତିଶତ କ୍ଷତି ହେଉଛି। ଭୋପାଳରେ ସଡ଼କ ଓ ସେତୁ ନିର୍ମାଣର ଅତ୍ୟାଧୁନିକ ଧାରା ଏବଂ କୌଶଳ ଉପରେ ଆୟୋଜିତ ଦୁଇ ଦିନିଆ ଆଲୋଚନାଚକ୍ରର ଉଦ୍ଘାଟନୀ ଅଧିବେଶନରେ ଗଡ଼କରୀ ଏହା କହିଛନ୍ତି।
ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରିଥିବା ପରାମର୍ଶଦାତାଙ୍କୁ ସେ ସମାଲୋଚନା କରିବା ସହ ଘରେ ବସି ଗୁଗୁଲକୁ ଦେଖି ଡିପିଆର ପ୍ରସ୍ତୁତ କରୁଥିବା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଆଉ ଦୁଇ ପଇସା ନିଅ, କିନ୍ତୁ କାମ ଠିକ୍ ଭାବେ କର। ଡିପିଆର୍ ପ୍ରସ୍ତୁତ ହେବା ପୂର୍ବରୁ ପ୍ରକଳ୍ପ ଯନ୍ତ୍ରୀମାନେ ମଧ୍ୟ ଘଟଣାସ୍ଥଳକୁ ଯାଆନ୍ତି ନାହିଁ। ଦେଶରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ କେନ୍ଦ୍ରମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ମଧ୍ୟପ୍ରଦେଶ ସରକାର ସିଭିଲ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କଠାରୁ ଡିପିଆର୍ ଯାଞ୍ଚ କରାଇବା ଉଚିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କ ମନ୍ତବ୍ୟକୁ ଉଦାହରଣ ଦେଇ ଗଡ଼କରୀ କହିଛନ୍ତି ଯେ ଆମେରିକା ଧନୀ ହୋଇଥିବାରୁ ଆମେରିକୀୟ ସଡ଼କ ଭଲ ନୁହେଁ, କିନ୍ତୁ ଆମେରିକୀୟ ସଡ଼କ ଭଲ ହୋଇଥିବାରୁ ଆମେରିକା ଧନୀ। ଏବଂ ଆପଣଙ୍କ ସମର୍ଥନରେ ମୁଁ ସ୍ୱପ୍ନ ଦେଖୁଛି ଯେ ଆଗାମୀ ଦିନରେ ଭାରତୀୟ ସଡ଼କ ଭିତ୍ତିଭୂମି ଆମେରିକା ତୁଳନାରେ ଉନ୍ନତ ହେବ।
ମଧ୍ୟପ୍ରଦେଶର ପୌର ସଂସ୍ଥାଗୁଡ଼ିକୁ ମଧ୍ୟ ଆବର୍ଜନାକୁ ସଠିକ ଭାବରେ ଅଲଗା କରି ରାସ୍ତା ନିର୍ମାଣରେ ବ୍ୟବହାର କରିବାକୁ ଗଡ଼କରୀ କହିଛନ୍ତି ଏବଂ କହିଛନ୍ତି, "ମୋର ଅନୁରୋଧ ଯେ ଯଦି ରାସ୍ତା ନିର୍ମାଣ ପାଇଁ କମ୍ପୋଜିଟ୍ ନିର୍ମାଣ ସାମଗ୍ରୀ ଉପଲବ୍ଧ ନାହିଁ, ତେବେ ସହରଗୁଡ଼ିକ ଆବର୍ଜନାକୁ ସଠିକ୍ ଭାବରେ ଅଲଗା କରି ରାସ୍ତା ନିର୍ମାଣ ପାଇଁ ବ୍ୟବହାର କରନ୍ତୁ। ବର୍ତ୍ତମାନ ସୁଦ୍ଧା ଆମେ ରାସ୍ତା ପାଇଁ ୮୦ ଲକ୍ଷ ଟନ୍ ଆବର୍ଜନା ବ୍ୟବହାର କରିଛୁ। ଏହା ଦ୍ୱାରା ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ସାଇଟ୍ର ଉଚ୍ଚତା ୭ ମିଟର ହ୍ରାସ ପାଇଛି।
ଅଧିକ ପଢ଼ନ୍ତୁ: ପ୍ରତି ୧୦ ପରିବାର ମଧ୍ୟରୁ ୩ ଜଣଙ୍କୁ ଅସୁସ୍ଥ କରୁଛି ପ୍ରଦୂଷଣ