ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଷ୍ଟେସନ ଓ ଟ୍ରେନ୍ ଭିତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଯୁବକଙ୍କୁ ପୁଲିସ ଗିରଫ କରିଛି। ଧମକପୂର୍ଣ୍ଣ ମେସେଜ ଲେଖିଥିବା ଅଭିଯୁକ୍ତର ସିସିଟିଭି ଫୁଟେଜ୍ ଜାତୀୟ ଗଣମାଧ୍ୟମକୁ ହସ୍ତଗତ ହୋଇଥିବା ନେଇ ରିପୋର୍ଟ ପ୍ରକାଶିତ ହୋଇଛି। ପୁଲିସ କହିଛି, ଅଭିଯୁକ୍ତର ନାମ ଅଙ୍କିତ ଗୋୟଲ (୩୨)। ସେ ଉତ୍ତର ପ୍ରଦେଶର ବରେଲି ନିବାସୀ । ସେ ବରେଲିରୁ ଗ୍ରେଟର ନୋଇଡାକୁ ଘର ପଂଜୀକରଣ ପାଇଁ ଆସିଥିଲେ।
ଅଙ୍କିତ ଏକ ୫ତାରକା ହେଟେଲରେ ରହୁଥିଲେ । ଦିଲ୍ଲୀ ମେଟ୍ରୋରେ ଯାତ୍ରା ସମୟରେ କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିଲେ। ଏଥି ସହିତ ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ଜଣାଶୁଣା ବ୍ୟାଙ୍କର କର୍ମଚାରୀ ଅଟନ୍ତି। କିନ୍ତୁ ସେ କୌଣସି ରାଜନୈତିକ ଦଳ ସହିତ ସଂପୃକ୍ତ ନଥିଲେ ମଧ୍ୟ କେଜ୍ରିୱାଲଙ୍କୁ ନେଇ କାହିଁକି ଏଭଳି ବାର୍ତ୍ତା ଲେଖିଥିଲେ, ସେନେଇ ଆଶ୍ଚର୍ଯ୍ୟ ଲାଗୁଛି । ତେଣୁ ପୁଲିସ କହିବା ଅନୁସାରେ ଅଭିଯୁକ୍ତର ମାନସିକ ସ୍ଥିତି ଠିକ୍ ନାହିଁ । ମାତ୍ର ଡାକ୍ତରୀମାଇନା ପରେ ଏନେଇ ସ୍ପଷ୍ଟ ହେବ।
ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ପଟେଲନଗର ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନ ଏବଂ ଏକ ଟ୍ରେନ୍ କୋଚରେ କେଜ୍ରିୱାଲଙ୍କୁ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା । ଆମ ଆଦମୀ ପାର୍ଟି ଏହି ପ୍ରସଙ୍ଗରେ ବିଜେପି ଓ ପିଏମ୍ଓଙ୍କ ଉପରେ କେଜ୍ରିୱାଲଙ୍କ ହତ୍ୟା କରାଯିବା ନେଇ ଷଡ଼ଯନ୍ତ୍ର ରଚାଯାଇଛି ବୋଲି ଅଭିଯୋଗ ଆଣିଥିଲା। ଦିଲ୍ଲୀ ପୁଲିସର ମେଟ୍ରୋ ୟୁନିଟ ଏନେଇ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି।