ଭୁବନେଶ୍ୱର: ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିବାରୁ ବାପା ଉପରେ ଏସିଡ ଢାଳି ଜୀବନରୁ ମାରିଦେବାକୁ ଉଦ୍ୟମ କରିଛି ଜଣେ ଝିଅ। ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଢ଼ା କୁନ୍ଦେଲି ଗାଁରେ।
ସୂଚନାରୁ ପ୍ରକାଶ ଯେ ମୋହନ ପନ୍ଦରଙ୍କ ଝିଅ ପୁଷ୍ପାଞ୍ଜଳି ପନ୍ଦର, ପ୍ରେମିକ ବିଜୟ ମାଝୀକୁ ଦୀର୍ଘ ଦିନ ଧରି ଭଲ ପାଇଆସୁଥିଲେ। ତାଙ୍କର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରୁନଥିଲେ ବାପା। ପ୍ରେମରେ ବାଧା ସୃଷ୍ଟି କରିବାରୁ ଉଭୟ ପ୍ରେମିକ ପ୍ରେମିକା ମିଶି ବାପାଙ୍କୁ ଏସିଡ ଢାଳି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି କାମରେ ସାହାଯ୍ୟ କରିଥିଲେ ପ୍ରେମିକ ବିଜୟ ମାଝୀ। କଲିକତାରୁ ଏସିଡ ଆଣି ଦେଇଥିଲେ ପ୍ରେମିକାକୁ।
ତୁମୁଡିବନ୍ଧ ଥାନା ଅଞ୍ଚଳର ବଡ଼ କେନ୍ଦୁଲି ଗାଁର ମୋହନ ପନ୍ଦର ଓ ତାଙ୍କର ନାବାଳକ ପୁଅ ଅନୁଜ ପନ୍ଦର ଗତ ୧୮ ତାରିଖ ରାତିରେ ଘର ବାହାରେ ଶୋଇଥିଲେ। ଏହି ସମୟରେ କେହି ଜଣେ ତାଙ୍କ ଉପରେ ଏସିଡ ପକାଇଥିଲେ। ତାଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପ୍ରଥମେ ତୁମୁଡିବନ୍ଧ ଓ ପରେ ବାଲିଗୁଡା ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଡ଼ିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିଛି।