ରାଂଚି: ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ସଂଗୀତକୁ ନେଇ ଦେଖାଯାଇଥିବା ବିବାଦ ଉଗ୍ରରୂପ ନେଇଛି। ବାର୍ରେ ଜଣେ ଡିଜେ ପରିଚାଳକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣା ପରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ପାଇଁ ସିସିଟିଭି ଯାଞ୍ଚ କରୁଛି।
ପୁଲିସ କହିଛି ଏହି ଘଟଣା ସହିତ ସଂପୃକ୍ତ ଥିବା ସନ୍ଦେହରେ ଜଣକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଆକ୍ରମଣକାରୀ ହେଉଛନ୍ତି ଜଣେ ଅଜଣା ବ୍ୟକ୍ତି । ଅଭିଯୁକ୍ତ ସଂପର୍କରେ ତଥ୍ୟ ହାସଲ ପାଇଁ ଉଦ୍ୟମ କରାଯାଉଛି। ଏହି ଘଟଣା ରବିବାର ରାତିରେ ଘଟିଛି। ଜଣାପଡ଼ିଛି ଯେ, ବାର୍ରେ ସଂଗୀତକୁ ନେଇ ବିବାଦ ଦେଖାଯାଇଥିଲା। ରାଂଚିର ଏକ୍ଟ୍ରିମ ସ୍ପୋଟ୍ର୍ସ ବାରରେ ୪ରୁ ୫ ଜଣ ଯୁବକ ମଦ ପିଉଥିଲେ। ସେହି ସମୟରେ ଡିଜେ ପରିଚାଳକ ସଂଦୀପ ଓ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ସହିତ ବିବାଦ ଦେଖାଯାଇଥିଲା । ଏହି ବିବାଦ ପରେ ଉଗ୍ରରୂପ ନେଇଥିଲା।
ତେବେ ନିଶାଶକ୍ତ ଅବସ୍ଥାରେ ଯୁବକମାନେ ସେଠାରୁ ଯାଇଥିଲେ। କିନ୍ତୁ ବାର ବନ୍ଦ ହେଲା ପରେ ରାତି ୧ଟାରେ ପୁଣି ଯୁବକମାନେ ବାର୍କୁ ଆସିଥିଲେ। ଏଥିରୁ ଜଣେ ଯୁବକ ପିସ୍ତଲ ବାହାର କରିଥିଲା ଏବଂ ଡିଜେ ପରିଚାଳକ ସନ୍ଦୀପଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳିମାରିଥିଲା। ଘଟଣାସ୍ଥଳରେ ସଂଦୀପ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ସଂଦୀପଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ଏସ୍ଆଇଟି ଗଠନ କରି ଘନଘନ ଚଢ଼ାଉ କରୁଛି ।