ପାଟଣା, ଜାନୁଆରୀ ୦୯ (ଖବର ଓଡ଼ିଶା): ବିହାରର ମଦ ବିକ୍ରି ନେଇ ନିତିଶ ସରକାର କଟକଣା ଲାଗୁ କରିଛନ୍ତି। ଏହା ସତ୍ତ୍ବେ ରାଜ୍ୟରେ ୨୦୨୧ ମସିହାରେ ୪୫ ଲକ୍ଷ ଲିଟରରୁ ଊର୍ଦ୍ଧ୍ବ ମଦ ଜବତ କରିଛି ଅବକାରୀ ଓ ପୋଲିସ। ରାଜ୍ୟରେ ମଦ ବିକ୍ରି ନେଇ କଟକଣା ଥିବା ବେଳେ ବ୍ୟାପକ ପରିମାଣରେ ବେଆଇନ କାରବାର ହୋଇଥିବାରୁ ଚିନ୍ତା ବଢ଼ିଛି। ଏହି ଜବତରେ ଭାରତରେ ଉତ୍ପାଦିତ ବିଦେଶୀ ମଦ (ଆଇଏମ୍ଏଫଏଲ)ର ମାତ୍ରା ୩୨.୧୪ ଲକ୍ଷ ଲିଟର ହୋଇଥିବା ବେଳେ ୧୫.୬୨ ଲକ୍ଷ ଲିଟର ଦେଶୀ ମଦ।
ବିହାର ପୋଲିସ ବୈଶାଳୀ ଜିଲ୍ଲାରୁ ସର୍ବାଧିକ ୫.୨୧ ଲିଟର ମଦ ଜବତ କରିଛି। ଏହା ପରେ ପାଟଣାରୁ ୩.୯୭ ଲକ୍ଷ ଲିଟର ମଦ ଜବତ ହୋଇଛି। ସେହିପରି ମୁଜାଫରପୁରରୁ ୨.୮୭ ଲକ୍ଷ ଲିଟର, ଔରଙ୍ଗାବାଦରୁ ୨.୭୧ ଲକ୍ଷ ଲିଟର ଓ ମଧୁବନୀରୁ ୨.୬୧ ଲକ୍ଷ ଲିଟର ମଦ ଜବତ ହୋଇଛି।
ବେଆଇନ ମଦ କାରବାର ସହିତ ଜଡ଼ିତ ୬୬ ହଜାର ୨୫୮ ମାମଲା ରୁଜୁ ହୋଇଥିବା ବେଳେ ୮୨ ହଜାର ୯୦୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପାଟଣାରେ ସର୍ବାଧିକ ୮୮୭୬, ସାରଣାରେ ୪୬୯୮, ମଜାଫରପୁରରେ ୪୪୬୯, ମୋତିହାରୀରେ ୩୬୦୧, ଗୋପାଳଗଂଜରେ ୩୪୭୦ ଅଭିଯୁକ୍ତ ଗିରଫ ହୋଇଛନ୍ତି।