କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ରାୟ ଶୁଣାଇଛନ୍ତି ଜୟପୁର ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ । ସୁନାବେଡା ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଲକ୍ଷ୍ମଣ ଦାଡ଼ିଆକୁ (୨୫) ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୪୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ ।
ମାନ୍ୟବର ଜୟପୁର ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟର ଆଡ଼ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଆଜି ବିଚାରପତି ରାଜପଲାମ ଗ୍ରାମର ଲକ୍ଷ୍ମଣ ଦାଡ଼ିଆକୁ ଧାରା ୩୬୩ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦୦୦/- ଟଙ୍କା ଜୋରିମାନା, ପୋକ୍ସୋ ଆଇନର ଧାରା ୪(୨) ଏବଂ ଧାରା ୬ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ସେହିପରି ଜୋରିମାନା ପୈଠ ନ କଲେ ଅତିରିକ୍ତ ୧୪ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଆଦାୟ ଜୋରିମାନା ଟଙ୍କା ସହ ସରକାରଙ୍କ ତରଫରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମାଧ୍ୟ୍ୟମରେ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ଼କ୍ଟର ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ ।
୨୦୨୦, ଅଗଷ୍ଟ ୧୬ ତାରିଖରେ ନାବାଳିକା ପୀଡିତା ତାଙ୍କ ବଡ଼ବାପାଙ୍କ ଘରକୁ ଯାଉଥିବା ସମୟରେ ସୁନାବେଡା ଡିଅର୍ ପାର୍କ ପାଖରେ ଲକ୍ଷ୍ମଣ ଏବଂ ଆଉ ଜଣେ ନାବାଳକ ତାଙ୍କୁ ରାସ୍ତାରେ ଦେଖିଥିଲେ । ବାଇକରେ ବଡ଼ବାପାଙ୍କ ଗ୍ରାମରେ ଛାଡିଦେବୁ କହି ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଲକ୍ଷ୍ମଣ ଏବଂ ଉକ୍ତ ନାବାଳିକ ନାବାଳିକାକୁ ଦୁଷ୍କର୍ମ କରିଥିଲେ । ପୀଡିତା ନାବାଳିକା କଷ୍ଟରେ ଲକ୍ଷ୍ମଣ କବଳରୁ ଛଡାଛଡ଼ି ହୋଇ ବୁଦା ମୂଳରେ ଲୁଚିଗଲା ଏବଂ ଦୌଡ଼ି ଯାଇ ପାଖରେ ଥିବା ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା । ନାବାଳିକା ମହିଳାଙ୍କ ଘରେ ଆଶ୍ରୟ ନେବା ପରେ ଫୋନରେ ବାପାଙ୍କୁ ଜଣାଇବା ପରେ ପୋଲିସ ଏବଂ ନାବାଳିକାଙ୍କ ବାପା ଉଦ୍ଧାର କରିଥିଲେ । ସେପଟେ ଝିଅ ବହୁତ ସମୟ ଧରି ଘରକୁ ନ ଫେରିବାରୁ ବାପା ସୁନାବେଡା ଥାନାରେ ଝିଅ ହଜିଯାଇଥିବା ରିପୋର୍ଟ ଦାଖଲ କରିଥଲେ । ସୁନାବେଡା ଥାନାର ତତ୍କାଳୀନ ଏସଆଇ ଭୀମସେନ ନାୟକ ଏବଂ ମୁକୁନ୍ଦ ମେଲେକା ମାମଲାର ତଦନ୍ତ କରି ଲକ୍ଷ୍ମଣକୁ ଗିରଫ କରି କୋର୍ଟ ଚାଲଣ କରିଥିଲେ ।