କୋଲକାତା: ଲୋକସଭା ନିର୍ବାଚନର ୬ଷ୍ଠ ଦଫାରେ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ନନ୍ଦୀଗ୍ରାମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁହାଁମୁହିଁ ହୋଇଛନ୍ତି। ଏହି ଲଢ଼େଇ ରକ୍ତପାତରେ ପରିଣତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ବିଜେପିର ଜଣେ ମହିଳା କର୍ମୀଙ୍କୁ ହତ୍ୟା କରାଯାଇଛି। ସେହିପରି ବିଜେପିର ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଜେପି ଏହି ହତ୍ୟାକାଣ୍ଡ ନେଇ ଟିଏମ୍ସି ଉପରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ନନ୍ଦୀଗ୍ରାମର ସୋନଚୁରାର ବୋଲି ଜଣାପଡ଼ିଛି । ସ୍ଥାନୀୟ ବିଜେପି ନେତାଙ୍କ ଅଭିଯୋଗ ଯେ, ଟିଏମ୍ସିର କର୍ମୀମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ମାତ୍ର ଟିଏମ୍ସି ଅଭିଯୋଗକୁ ଖଣ୍ଡନ କରିଛି। ମୃତ ମହିଳା କର୍ମୀଙ୍କ ନାମ ରଣୀବାଲା ଆଡି। ଏହି ଘଟଣାକୁ ନେଇ ଉତ୍ତେଜନା ତୀବ୍ର ଦେଖାଯାଇଛି।
ସୂଚନାଯୋଗ୍ୟ, ପୂର୍ବ ମେଦିନୀନପୁର ସହିତ ଜଂଗଲମହଲ ଜିଲ୍ଲାର ୮ଟି ଆସନରେ ମେ’ ୨୫ରେ ମତଦାନ ହେବ। ଗୁରୁବାର ନିର୍ବାଚନ ପ୍ରଚାରର ଶେଷ ଦିନ। ଏହା ପୂର୍ବରୁ ହିଂସର ଏହି ଘଟଣାକୁ ନେଇ ପାରା ଗରମ ହୋଇଛି।