ଢେଙ୍କାନାଳ: ପାଳଙ୍ଗ ଚିକେନ୍ ଖାଇ ଗୋଟିଏ ପରିବାର ୩ ଜଣଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲା ଏବେ ଭିନ୍ନ ମୋଡ଼ ନେଇଛି । କୋଇଲା ଧୂଆଁ ଯୋଗୁଁ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରୁଥିବାବେଳେ ପଡ଼ୋଶୀ ପାରିବାରିକ କଳହ ପ୍ରମୁଖ କାରଣ ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି ।
ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗ୍ରାମର ଅନ୍ତର୍ଯ୍ୟାମୀ ସାହୁଙ୍କ ସ୍ତ୍ରୀ ଗୋଲାପ ସାହୁ ଏବଂ ଦୁଇ ପୁଅ ପିଣ୍ଟୁ ଏବଂ ଲିଟୁଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଗତକାଲି ରାତିରେ ଖାଇ ସାରିବା ପରେ ସମସ୍ତେ ଶୋଇଥିଲେ । ପ୍ରବଳ ଥଣ୍ଡା ଯୋଗୁଁ ଏକ ଛୋଟିଆ କୋଠରୀ ଭିତରେ କୋଇଲା ଜାଳି ଶୋଇଥିଲେ । କିନ୍ତୁ ଆଜି ସକାଳୁ ସମସ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଗାଁରେ ପହଁଚି ଛାନଭିନ୍ ଆରମ୍ଭ କରିଛି । କୋଇଲା ଧୂଆଁରୁ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କ ପ୍ରାଣ ଯାଇଥିବା ପୋଲିସ ଅନୁମାନ କରିଛି ।
ଅନ୍ୟପକ୍ଷରେ ପଡ଼ୋଶୀ ପାରିବାରିକ କଳହରୁ ଏପରି ହୋଇଥିବା ଅନୁମାନ କରିଛନ୍ତି । କାରଣ ଅନ୍ତର୍ଯ୍ୟାମୀଙ୍କର ଦୁଇଟି ପତ୍ନୀ ଅଛନ୍ତି । ତେଣୁ ଏମାନଙ୍କ ମୃତ୍ୟୁ ପଛରେ ଦ୍ୱିତୀୟ ପତ୍ନୀଙ୍କ ହାତ ଥାଇପାରେ ବୋଲି ପଡ଼ୋଶୀ ଅନୁମାନ କରିଛନ୍ତି । ସେପଟେ ପୋଲିସ ତିନି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।
ଉଲ୍ଲେଖ ଯୋଗ୍ୟ, ରବିବାର ରାତିରେ ଅନ୍ତର୍ଯ୍ୟାମୀଙ୍କ ଘରେ ପାଳଙ୍ଗ ସାଗ ସହ ଚିକେନ୍ ତିଆରି ହୋଇଥିଲା । ସମସ୍ତେ ଖାଇ ପିଇ ଶୋଇଥିଲେ । କିନ୍ତୁ ଆଜି ସକାଳୁ ଆଉ କେହି ଉଠିନଥିଲେ । ଦୀର୍ଘ ସମୟ ଧରି ଘରର କବାଟ ନ ଖୋଲିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଏହା ପରେ ପଡ଼ୋଶୀ ନିଜେ ଘରର କବାଟ ଖୋଲିଥିଲେ । ସମସ୍ତଙ୍କୁ ଡାକିବାରୁ କେହି ନ ଉଠିବାରୁ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ମାଆ ସହ ଦୁଇ ପୁଅଙ୍କୁ ମୃତ ଘୋଷଣା କରିଥିଲେ । ପ୍ରଥମେ ଫୁଡ୍ ପଏଜନିଂ ପାଇଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିଲା ।