ଭୁବନେଶ୍ୱର: ରାଜଧାନୀରେ ସକାଳୁ ସକାଳୁ ଚାଞ୍ଚଲ୍ୟ ଖେଳାଇଥିବା ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକ ଓରଫ୍ ଢ଼େଗଙ୍କ ବିଭତ୍ସ ହତ୍ୟାକାଣ୍ଡରେ କମିଶନରେଟ୍ ପୋଲିସକୁ ବଡ଼ ସଫଳତା ମିଳିଛି । ହତ୍ୟା କାଣ୍ଡକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି, ଯିଏ କି ଏ ସମ୍ପୂର୍ଣ୍ଣ ଘଟଣାରେ ମାଷ୍ଟରମାଇଣ୍ଡ ବୋଲି କୁହାଯାଇଛି । ନୟାଗଡ଼ ଶରଣକୂଳ ଅଞ୍ଚଳରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନେ ହେଲେ ଲିପିକା ନାୟକ, ରକି ନାୟକ ଓ ଲକ୍ଷ୍ମୀଧର ନାୟକ । ବ୍ରାଉନ ସୁଗାର ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।
ଆଜି ସକାଳୁ ରସୁଲଗଡ଼-ବାଣୀବିହାର ରାସ୍ତାରେ ମୁଣ୍ଡ ବିହୀନ ମୃତ ଦେହ ପଡ଼ିଥିବା ଖବର ରାଜଧାନୀକୁ ଦୋହଲାଇ ଦେଇଥିଲା । ପରେ ମୃତ ଦେହଟି ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କର ବୋଲି ଜଣାପଡ଼ିଥିଲା । ସହଦେବ ସଫେଇ କର୍ମଚାରୀର ସଭାପତି ହୋଇଥିବାରୁ ଆଜି ଏକ ଭୋଜିଭାତର ଆୟୋଜନ କରିଥିଲେ । ମଧ୍ୟାହ୍ନରେ ଭୋଜି ହୋଇଥାଆନ୍ତା । କିନ୍ତୁ ତା ପୂର୍ବରୁ ସବୁକିଛି ଶେଷ ହୋଇଗଲା । ପ୍ରତ୍ୟେକ ଦିନ ଭଳି ଆଜି ସକାଳ ୭ଟା ୧୫ ବେଳକୁ ଝିଅକୁ ବାଇକରେ ନେଇ ସ୍କୁଲରେ ଛାଡ଼ିଥିଲେ । ସ୍କୁଲରୁ ଛାଡ଼ି ଫେରିବା ପରେ ତାଙ୍କ ଉପରେ ହୋଇଥିଲା ଅତର୍କିତ ଆକ୍ରମଣ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା । ହତ୍ୟାକାରୀମାନେ ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ । ଏହି ଖବର ପୁରା ଭୁବନେଶ୍ୱରରେ ବ୍ୟାପୀ ଯାଇଥିଲା । ଖବର ପାଇ ସଫେଇ କର୍ମଚାରୀମାନେ ଏକାଠି ହୋଇଯାଇଥିଲେ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା ।
ତେବେ ସହଦେବଙ୍କ ସ୍ତ୍ରୀ କେଦାରପଲ୍ଲୀ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଥିଲେ । ବ୍ରାଉନସୁଗାର କାରବାରକୁ ନେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ କହିଛନ୍ତି । ତାଙ୍କ ସ୍ୱାମୀ ପୋଲିସ ମିତ୍ରଭାବେ କାର୍ୟ୍ୟ କରନ୍ତି । ସେଥିପାଇଁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ସ୍ତ୍ରୀ କହିଥିଲେ । ଯାହାକି ପୋଲିସକୁ ଏକ ବଡ଼ ସୁରାକ ଦେଇଥିଲା ।
ପୋଲିସ ତୁରନ୍ତ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୋଲିସ ଟିମ୍ ଖୋର୍ଦ୍ଧା ଏବଂ ନୟାଗଡ଼ ଅଭିମୁଖେ ବାହାରି ଥିଲା । ସେମାନଙ୍କ ମୋବାଇଲକୁ ଟ୍ରାକ୍ କରି ନୟାଗଡ଼ ଶରଣକୁଳ ବଜାରରୁ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା ।
ଗିରଫଙ୍କ ମଧ୍ୟରେ ଥିବା ମହିଳା ଜଣକ ପୂରା ଘଟଣାର ମାଷ୍ଟର ମାଇଣ୍ଡ୍ ବୋଲି କୁହାଯାଉଛି । ସେ ହିଁ ସୁପାରୀ ଦେଇ ସହଦେବଙ୍କୁ ହତ୍ୟା କରିଛନ୍ତି ବୋଲି ଜଣାପଡ଼ିଛି । ମହିଳା ଜଣକ ବ୍ରାଉନସୁଗାର ବେପାର ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ । ସହଦେବ ପୋଲିସକୁ ଏ ବାବଦରେ ସୂଚନା ଦେଇଥିଲେ ବୋଲି ସେ ସନ୍ଦେହ କରିଥିଲେ ଏବଂ ସହଦେବଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ ବୋଲି ତାଙ୍କ ପରିବାର କହିଛି । ତେବେ ଏ ନେଇ ପୋଲିସ ସମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବାର ସମ୍ଭାବନା ରହିଛି ।