ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ଭାଜପା କର୍ମୀ ଦୀଲିପ ପାହାନ ହତ୍ୟାକାଣ୍ଡରେ ଜଡିତ ଦୁଇ ଅଭିଯୁକ୍ତ ଖଲ୍ଲିକୋଟ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି।
ଅଭିଯୁକ୍ତମାନଙ୍କୁ ଗୁଜୁରାଟ ରାଜକୋଟରୁ ପୋଲିସ ଧରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେଶପୁରର ଆଶିଷ ସାହୁ ଏବଂ ଶ୍ରୀକୃଷ୍ଣଶରଣପୁର ଗୋପୀ ଗୌଡ଼। ଏହାପୂର୍ବରୁ ବାଙ୍ଗାଲୋରରୁ ୩ଜଣଙ୍କୁ ପୋଲିସ ଧରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ୩ଟି ବାଇକ୍ ଓ ୩ଟି କାର, ମାରଣାସ୍ତ୍ର ଜବତ କରାଯାଇଛି । ତଦନ୍ତ ଚାଲିଛି ଏବଂ ଏଥିରେ ଯେକେହି ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଶ୍ରୀକୃଷ୍ଣସରଣପୁର ଗ୍ରାମରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିଲେ । ପୂର୍ଣ୍ଣଚନ୍ଦ୍ର ପାହାନାଙ୍କ ୩ ପୁଅ ଦିଲୀପ, ଜିତେନ୍ଦ୍ର ଓ ବାପୁଜୀ ଓ ଅଭିମନ୍ୟୁ ପାହାନ ଆହତ ହୋଇଥିଲେ । ସମସ୍ତଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଖଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ସମସ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଦିଲୀପଙ୍କର ମୃତ୍ୟୁ ଘଟିଥିଲା ।