ନୂଆଦିଲ୍ଲୀ: ସେୟାର ବଜାରରେ ଟ୍ରେଡିଂ ନାମରେ ଠକେଇ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏହିପରି ମାମଲାରୁ ବର୍ତ୍ତିବା ପାଇଁ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ତରଫରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଥାଏ। ବିଗତ ଦିନରେ ପୁଣେ ନିବାସୀ ଜଣେ ୫୩ ବର୍ଷୀୟ ବ୍ୟକ୍ତି ଓ ତାଙ୍କର ଭାଇ ଅନ୍ଲାଇନ୍ ଟ୍ରେଡିଂ ନାମରେ ବଡ଼ ଠକେଇର ସାମ୍ନା କରିଥିଲେ। କେହି ଜଣେ ବ୍ୟକ୍ତି ହ୍ୱାଟ୍ସଆପ୍ ଗ୍ରୁପରେ ସେମାନଙ୍କର ନାମକୁ ଯୋଡ଼ି ସେୟାର ଟ୍ରେଡିଂରେ ଭଲ ଲାଭ ହେବା ବୋଲି କହିଥିଲେ। ଲୋଭରେ ପଡ଼ି ଦୁଇ ଭାଇ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ। କିନ୍ତୁ ସେମାନେ ଠକାମୀର ଶିକାର ହୋଇଥିଲେ। କେବଳ ଏମାନେ ନୁହଁନ୍ତି ଦେଶରେ ଅନ୍ୟମାନେ ମଧ୍ୟ ବଡ଼ବଡ଼ ଠକେଇର ଶିକାର ହେଉଛନ୍ତି। ତେଣୁ ଲୋକଙ୍କର ନିବେଶ ସୁରକ୍ଷା ଦୃଷ୍ଟିରୁ ସେବି ସେୟାର ବଜାରରେ ଟ୍ରେଡିଂର ପୂରା ସିଷ୍ଟମକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ମାର୍କେଟ ରେଗୁଲେଟର ସେବି ନିବେଶକଙ୍କ ସୁବିଧାକୁ ଦୃଷ୍ଟିରେ ରଖି, ରିକ୍ସ କମ କରିବା ଏବଂ ଠକେଇରୁ ବର୍ତ୍ତିବା ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମ ବଳରେ ଆସନ୍ତା ଅକ୍ଟୋବର ୧୪ରୁ ନିବେଶକଙ୍କ ତରଫରୁ ସେୟାର ସିଧା ତାଙ୍କର ଡିମାଟ ଆକାଉଣ୍ଟରେ କ୍ରେଡିଟ୍ ହେବ । ଏବେ ଗ୍ରାହକଙ୍କ ଦ୍ୱାରା କିଣାଯାଉଥିବା ସେୟାର ପ୍ରଥମେ ବ୍ରୋକରଙ୍କ ପାଖକୁ ଯାଉଛି । କିନ୍ତୁ ଏହି ସିଷ୍ଟମ ଖୁବ୍ ଶୀଘ୍ର ବଦଳିଯିବ । ଅର୍ଥାତ ନୂଆ ସିଷ୍ଟମରେ ବ୍ରୋକରର୍ସଙ୍କୁ ସିଷ୍ଟମରୁ ବାହାର କରିଦିଆଯିବ ।