ନୂଆଦିଲ୍ଲୀ: ଆସନ୍ତା ଜୁଲଇରେ ମୋଦୀ ସରକାର ନିଜର ତୃତୀୟ କାର୍ଯ୍ୟକାଳରେ ପ୍ରଥମ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିପାରନ୍ତି। ଏହି ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳାଙ୍କୁ ଏକ ବିରଳ ରେକର୍ଡ କରିବାକୁ ସୁଯୋଗ ମିଳିବ। ସେ ଏପର୍ଯ୍ୟନ୍ତ ୫ଥର ପୂର୍ଣ୍ଣ ବଜେଟ ଓ ଗୋଟିଏ ଥର ଅନ୍ତରୀଣ ବଜେଟ ଉପସ୍ଥାପନ କରିସାରିଛନ୍ତି। କିନ୍ତୁ ଆଗାମୀ ବଜେଟ ଉପସ୍ଥାପନ କରିବା ସହିତ ସେ ମୋରାରଜୀ ଦେସାଇଙ୍କ ରେକର୍ଡ ଭଙ୍ଗ କରିବେ। ମୋରାରଜୀ ଦେସାଇ କ୍ରମାଗତ ଭାବେ ୬ଷ୍ଠ ବଜେଟ ଉପସ୍ଥାପନ କରିଥିଲେ। ମାତ୍ର ସେ ମୋଟ ୧୦ ଥର ବଜେଟ ଉପସ୍ଥାପନ କରିଥିବା ଦେଶର ଏକମାତ୍ର ଅର୍ଥମନ୍ତ୍ରୀ ଥିଲେ।
ନିର୍ମଳା ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ୨୦୨୧୯ ଜୁଲାଇ ୫ରେ ସୀତାରମଣ ନିଜର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ। ସେ ଗତ ଫେବ୍ରୁଆରି ୧ ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଏହା ଥିଲା ତାଙ୍କର ୬ଷ୍ଠ ବଜେଟ। ଏଥି ସହିତ ସେ ମୋରାରଜୀ ଦେସାଇଙ୍କ ସମକକ୍ଷ ହୋଇପାରିଛନ୍ତି। ସେ ଆସନ୍ତା ମାସରେ ଲଗାତାର ୭ମ ଥର ବଜେଟ ଉପସ୍ଥାପନ କରିବାରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ।
ଇନ୍ଦିରା ଗାନ୍ଧୀଙ୍କ ପରେ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଥିବା ଦେଶର ଦ୍ବିତୀୟ ମହିଳା ଅଟନ୍ତି। ଇନ୍ଦିରାଙ୍କ ପରେ ନିର୍ମଳା ସୀତାରମଣ ପ୍ରତିରକ୍ଷା ମନ୍ତ୍ରୀ ପଦ ଦାୟିତ୍ବ ନେଇଥିବା ଦ୍ବିତୀୟ ମହିଳା ମଧ୍ୟ। ନିର୍ମଳା ସୀତାରମଣ ୧୯୫୯ ଅଗଷ୍ଟ ୧୮ ତାରିଖରେ ତାମିଲନାଡୁର ମଦୁରାଇରେ ଜନ୍ମଗ୍ରହଣ କରିଥିଲେ। ସେ ଜେଏନ୍ୟୁରେ ଅର୍ଥଶାସ୍ତ୍ର ବିଷୟରେ ୧୯୮୪ ମସିହାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେଠାରେ ସେ ପରକଳା ପ୍ରଭାକରଙ୍କୁ ଭେଟିଥିଲେ ଏବଂ ୧୯୮୬ରେ ବିବାହ କରିଥିଲେ। ସେ ୨୦୦୪ରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ୨୦୦୩ରୁ ୨୦୦୫ ଯାଏଁ ଜାତୀୟ ମହିଳା ଆୟୋଗର ସଦସ୍ୟ ଥିଲେ।
ସୂଚନାଯୋଗ୍ୟ, ଭାରତୀୟ ସଂସଦରେ ମୋରାରଜୀ ଦେସାଇ ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି। ପି ଚିଦାମ୍ବର ଓ ପ୍ରଣବ ମୁଖାର୍ଜୀ ୯-୯ ଥର, ଯଶୋବନ୍ ରାଓ ଚୌହାନ, ଯଶୋବନ୍ତ ସ୍ନିହା, ସିଡି ଦେଶମୁଖ ୭ ଥର ଲେଖାଏଁ ବଜେଟ ଉପସ୍ଥାପନ କରିଥିବା ବେଳେ ମନମୋହନ ସିଂହ, ଟିଟି କୃଷ୍ଣମାଚରୀ ଓ ନିର୍ମଳା ସୀତାରମଣ ୬ ଥର ଲେଖାଏଁ ଏହି କାମ କରିସାରିଛନ୍ତି।