ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନିକଟରେ ବିପୁଳ ପରିମାଣର ସୁନା କିଣିଛି। ଏଥି ସହିତ ବ୍ୟାଙ୍କ ବ୍ରିଟେନ୍ସ୍ଥିତ ନିଜର ଭଣ୍ଡାରରୁ ୧୦୦ରୁ ଅଧିକ ଟନ୍ ସୁନା ଆଣିଛି। ୧୯୯୧ ମସିହା ପରେ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ନିଜର ସ୍ଥାନୀୟ ଭଣ୍ଡାରରେ ଏତେ ପରିମାଣର ସୁନା ଆଣିଛି। ଆଗାମୀ ଦିନରେ ଆହୁରି ସୁନା ଅଣାଯାଇପାରେ।
ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଦେଶ ଭିତରେ ସୁନା ଗଚ୍ଛିତ ରଖିବାର ଲଜିଷ୍ଟିକ କାରଣ ରହିଛି। ଏଥି ସହିତ ଆରବିଆଇ ନିଜର ଷ୍ଟୋରେଜକୁ ଡାଇଭର୍ସିଫାଇ କରୁଛି। ସଦ୍ୟତମ ତଥ୍ୟ ଅନୁସାରେ ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ଥିଲା। ଏଥିରୁ ୪୧୩.୮ ଟନ୍ ସୁନା ବିଦେଶରେ ରଖିଥିଲା। ଗତ ଆର୍ଥିକ ବର୍ଷରେ ଆରବିଆଇ ନିଜର ଭଣ୍ଡାରରେ ୨୭.୫ ଟନ୍ ସୁନା ଜମା କରିଥିଲା।
ବିଶ୍ୱର ସମସ୍ତ କେନ୍ଦ୍ରୀୟ ବ୍ୟାଙ୍କ ପାରଂପରିକ ଭାବେ ନିଜର ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ନିକଟରେ ରଖିଥାନ୍ତି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ସ୍ୱାଧୀନତା ପୂର୍ବରୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ ପାଖରେ ଭାରତର ସୁନା ରହିଛି। ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଆରବିଆଇ କିଛି ବର୍ଷ ପୂର୍ବରୁ ସୁନା କିଣିବା ଆରମ୍ଭ କରିଥିଲା।
ରିଜର୍ଭ ବ୍ୟାଙ୍କ ପାଖାପାଖି ୧୫ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ୨୦୦ ଟନ୍ ସୁନା କିଣିଥିଲା। କିନ୍ତୁ କିଛି ବର୍ଷ ହେଲା ସୁନା କିଣି ନିଜର ଗୋଲ୍ଡ ଷ୍ଟକରେ ଲଗାତାର ବଢ଼ାଇଥିଲା। ବିପୁଳ ପରିମାଣରେ ସୁନା ଗଚ୍ଛିତ ରଖିବା ଅର୍ଥବ୍ୟବସ୍ଥାକୁ ମଜବୁତ ଓ ଆତ୍ମବିଶ୍ୱାସକୁ ଦର୍ଶାଇଥାଏ। ଏବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଏତେ ପରିମାଣର ସୁନା ଆସିବା ପରେ ଦର ହ୍ରାସ ହେବ କି?