ନୂଆଦିଲ୍ଲୀ: ଅଗଷ୍ଟ ୧୫ ଶୁକ୍ରବାର ଦିନ ସମଗ୍ର ଦେଶରେ ‘ଫାସଟ୍ୟାଗ ଆନୁଆଲ ପାସ୍’ ଲାଗୁ ହୋଇ ଯାଇଛି । ସରକାରୀ ବୟାନରେ ଏହାର ସୂଚନା ଦିଆଯାଇ କୁହାଯାଇଛି ଯେ, ଆନୁଆଲ ପାସକୁ ନେଇ ପ୍ରଥମ ଦିନରେ ହିଁ ଜାତୀୟ ରାଜପଥରେ ଯାତାୟତ କରୁଥିବା ଗାଡି ଚାଳକଙ୍କ ମଧ୍ୟରେ ଅହେତୁକ ଉତ୍ସାହ ଦେଖିବାକୁ ମିଳିଛି । ଲାଗୁ ହେବାର ପ୍ରଥମ ଦିନରେ ଅପରାହ୍ଣ ୪ଟା ୩୦ ସୁଦ୍ଧା ପ୍ରାୟ ଏକ ଲକ୍ଷ ୨୦ ହଜାର ୟୁଜର୍ସ ଫାସଟ୍ୟାଗ ଆନୁଆଲ ପାସ୍ କିଣିବା ସହ ଆକ୍ଟିଭ କରିଛନ୍ତି । ଅଗଷ୍ଟ ୧୪ରେ ସମଗ୍ର ଦେଶରେ ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ଆନୁଆଲ ପାସରେ ପ୍ରାୟ ୧.୨୪ ଲକ୍ଷ ଟ୍ରାଞ୍ଜାକ୍ସନ ରେକର୍ଡ କରାଯାଇଛି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜାତୀୟ ରାଜପଥ ଗମନଗମନକାରୀଙ୍କୁ ଏକ ସହଜ ଏବଂ ଶସ୍ତା ଯାତ୍ରାର ବିକଳ୍ପ ପ୍ରଦାନ କରିଛୁ । ଫାସଟ୍ୟାଗ ଆନୁଆଲ ପାସ ୩୦୦୦ ଟଙ୍କାରେ ଗୋଟିଏ ବର୍ଷର ବୈଧତା ସହ ସର୍ବାଧିକ ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରାଯାଇ ପାରିବ । ଏହି ଆନୁଆଲ୍ ପାସ କେବଳ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ ୱେରେ ହିଁ ବୈଧ୍ୟ ରହିବ । ଏହା ରାଜ୍ୟ ରାଜପଥ ଏବଂ ଏହାର ଏକ୍ସପ୍ରେସ ୱେରେ ଲାଗୁ ହେବ ନାହିଁ । ଏହି ପାସକୁ ବାରମ୍ବାର ରିଚାର୍ଜ କରିବାର ଆବଶ୍ୟକତା ପଡିବ ନାହିଁ । ୩ ହଜାର ଟଙ୍କାରେ ପୂରା ବର୍ଷେ ଚାଲିବ ।
ଆନୁଆଲ ପାସ ଭେଲିଡ ଫାସଟ୍ୟାଗ ବିଶିଷ୍ଟ ସମସ୍ତ ନନ କମର୍ସିଆଲ ଗାଡି ଯଥା କାର, ଜିପ ଏବଂ ଭ୍ୟାନ ପାଇଁ ଲାଗୁ ହେବ । ଆନୁଆଲ ପାସକୁ ଆକ୍ଟିଭ କରିବା ପାଇଁ ଅଲଗା ଭାବେ ଏକ ଲିଙ୍କ ରାଜମାର୍ଗ ଯାତ୍ରା ଆପ ଉପରେ ଉପଲବ୍ଧ ରହିଛି । ଏହି ଲିଙ୍କ ଜାତୀୟ ରାଜପଥ ପ୍ରାଧିକରଣ(ଏନଏଚଏଆଇ) ଓ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ସରକାରୀ ୱେବସାଇଟରେ ଉପଲବ୍ଧ ଅଛି । ଏହି ପାସ୍ କିଣିବାର ଦୁଇ ଘଣ୍ଟା ଭିତରେ ଆକ୍ଟିଭ ହୋଇ ଯାଉଛି । ସମଗ୍ର ଦେଶରେ ପାଖାପାଖି ୮ କୋଟିରୁ ଅଧିକ ଫାସଟ୍ୟାଗ ୟୁଜର୍ସ ଅଛନ୍ତି ।