ନୂଆଦିଲ୍ଲୀ: ଦୁନିଆର ବିତ୍ତଶାଳୀ ଲୋକଙ୍କ ତାଲିକାରେ ମୁକେଶ ଅମ୍ବାନୀ ଗୋଟିଏ ସ୍ଥାନ ତଳକୁ ଖସି ୧୨ତମ ସ୍ଥାନରେ ପହଞ୍ଚିଛନ୍ତି । ଏବେ ଟପ୍-୧୦ ଧନୀ ତାଲିକାରେ ତାଙ୍କର ପ୍ରବେଶ ମୁସ୍କିଲ ଲାଗୁଛି । ଅନ୍ୟପଟେ ଗୌତମ ଆଦାନୀ ପୁଣି ଥରେ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ସେ ଗୋଟିଏ ସ୍ଥାନ ତଳକୁ ଖସି ୧୬କୁ ଖସିଥିଲେ ।
ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ, ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଏବେ ୧୧୨ ବିଲିୟନ ଡଲାରର ମୋଟ୍ ସଂପତ୍ତି ସହ ୧୨ତମ ସ୍ଥାନରେ ରହିଛନ୍ତି । ତାଙ୍କୁ ଅମାନସିଓ ଅରଟେଗା ପଛରେ ପକାଇ ଦୁନିଆର ଧନୀ ତାଲିକାରେ ୧୧ତମ ସ୍ଥାନକୁ ଉଠିଛନ୍ତି । ତାଙ୍କର ମୋଟ୍ ସଂପତ୍ତି ମୂଲ୍ୟ ୧୧୩ ବିଲିୟନ ଡଲାର ରହିଛି । ମଙ୍ଗଳବାର ମୁକେଶ ଅମ୍ବାନୀଙ୍କ ସଂପତ୍ତି ୩୩୫ ମିଲିୟନ ଡଲାର ବୃଦ୍ଧି ଘଟିଥିବା ବେଳେ ଅମାନସିଓଙ୍କ ସଂପତ୍ତିରେ ୧.୨୪ ବିଲିିୟନ ଡଲାର ବୃଦ୍ଧି ଘଟିଥିଲା । ଏହି ବ୍ୟବଧାନରେ ହିଁ ସେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ।
ଧନୀ ତାଲିକାରେ ଏଲନ ମସ୍କ ୨୪୯ ବିଲିୟନ ଡଲାର ସହ ପୂର୍ବବତ୍ତ ନିଜର ଶୀର୍ଷ ସ୍ଥାନରେ ରହିଛନ୍ତି । ତେବେ ଆୟ ମାମଲାରେ ମେଟାର ସିଇଓ ମାର୍କ ଜୁକରବର୍ଗ ଶୀର୍ଷରେ ରହିଛନ୍ତି । ଜୁକରବର୍ଗ ଚଳିତ ବର୍ଷ ଏଲନ ମସ୍କଙ୍କ ତୁଳନାରେ ତିନି ଗୁଣା ଅଧିକ ଆୟ କରିଛନ୍ତି । ଚଳିତ ବର୍ଷ ଏଲନ ମସ୍କ ନିଜର ମୋଟ୍ ସଂପତ୍ତିରେ ୨୦ ବିଲିୟନ ଡଲାର ବୃଦ୍ଧି ଘଟିଥିବା ବେଳେ ଜୁକରବର୍ଗଙ୍କ ୬୨.୪ ବିଲିୟନ ଡଲାର ବୃଦ୍ଧି ଘଟିଛି । ଜୁକରବର୍ଗ ୧୯୦ ବିଲିୟନ ଡଲାର ସହ ଦୁନିଆର ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ଜେଫ ବେଜୋସ୍ ୨୦୯ ବିଲିୟନ ଡଲାର ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।