ଖବର ଓଡିଶା : 05/05/2023:
ଆଜି ଦ୍ଵାଦଶ ଦିନରେ ପହଂଛିଚି ରଥ ନିର୍ମାଣ କାର୍ଯ୍ୟ । ଯେତିକି ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ସେତିକି ଚଳଚଞ୍ଚଳ ହୋଇପଡୁଛି ଶ୍ରୀନହର ସମ୍ମୁଖରେ ଥିବା ରଥଖଳା। ଗତକାଲି ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପରେ ରଥଖଳାକୁ ରୂପକାର ସେବାୟତଙ୍କ ପ୍ରବେଶ ହୋଇଛି । ରୂପକାର ମାନେ ଚଉପଟ ହୋଇଥିବା ଧଉରା କାଠରେ ପ୍ରଥମେ ସିଂହବିରାଳକୁ ରୂପଦେବା ଜାରି ରଖିଛନ୍ତି । ସେପଟେ ଆଜି ଭୋଇ ସେବାୟତ ମାନେ ପୂର୍ବ ପ୍ରସ୍ତୁତ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ସହ ତୁମ୍ଭରେ ଅର ସଂଯୋଗ କାର୍ଯ୍ୟ କରିବେ । ମୁଗୁର, ନିହଣର ଠକ ଠକ୍ ଶବ୍ଦରେ ରଥଖଳା ଗୁଞ୍ଜରିତ ହେଉଥିବା ବେଳେ ଅତ୍ୟନ୍ତ ନିଷ୍ଠା ଓ ସମର୍ପଣ ମନୋଭାବ ନେଇ ରଥ ନିର୍ମାଣକାରୀ ମହାରଣା ମାନେ ତିନିରଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି।
ରଥଖଳାରେ ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ୪୨ ଗୋଟି ଚକପାଇଁ ତୁମ୍ବର କାର୍ଯ୍ୟ ଶେଷ ହେବାସହ ସମସ୍ତ ତୁମ୍ବରେ ମଧ୍ୟ ୧୬ ଯୋଡା ଲେଖାଏଁ ଅର୍ଥାତ ୩୨ ଟି ବିନ୍ଧ କାମ ସମ୍ପନ୍ନ ହୋଇଛି। ତେବେ ବର୍ତ୍ତମାନ ରଥଖଳାରେ ତୁମ୍ବ ଗୁଡିକରେ ଅରକଣ୍ଟା ବସିବା ପାଇଁ ଅଗରବିନ୍ଧ କରାଯିବା ସହ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧ ଗୁଡିକର ସଂଶୋଧନ କାର୍ଯ୍ୟ ଜାରି ରହିଛି ରଥଖଳାରେ ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ଆଗକୁ ଭଉଁରୀ ଯାତ୍ରା ଦିନ ତିନିରଥର ଦୁଇଟି ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ହବ ଓ ଶୀତଳଷଷ୍ଠୀ ପରଦିନ ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସ୍ନାନପୂର୍ଣ୍ଣିମା ଦିନ ଚାରିନାହକା ଉଠିବାର ବିଧିବିଧାନ ରହିଛି। ତେବେ ରଥ ଯାତ୍ରା ସମୟରେ କିଭଳି ବାଧା ନ ଉପୁଜିବ ସେଥିପାଇଁ ଶ୍ରୀମନ୍ଦିର ନିକଟ ରାସ୍ତାକାମ ଶୀଘ୍ର ଶେଷ କରିବା ପାଇଁ ସବୁରି ମହଲରେ ଦାବି ହୋଇଛି।