Home >
ପରିବାର ଯେ ପର୍ଯ୍ୟନ୍ତ ଛାଡ଼ପତ୍ରକୁ ସମର୍ଥନ ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଘରକୁ ଫେରିବି ନାହିଁ: ତେଜ ପ୍ରତାପ
Khabar Odisha:wont-return-home-till-family-backs-decision-of-divorce-says-tej-prata
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

ଜେଡିୟୁ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ସୃଷ୍ଟି ପାରିବାରିକ ଝଡ଼ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଲାଲୁଙ୍କ ବଡ଼  ପୁତ୍ର ତେଜପ୍ରତାପ ଯାଦବ ଏବେ ଆଉ ଘରେ  ରହୁନାହାନ୍ତି।  ତେଜଙ୍କ ଗୋଟିଏ ଜିଦ୍ ଯେ ପର୍ଯ୍ୟନ୍ତ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ତାଙ୍କର ନିଷ୍ପତ୍ତିକୁ ପରିବାର ସମର୍ଥନ କରି ନାହାନ୍ତି ସେ ପର୍ଯ୍ୟନ୍ତ ସେ ଘରକୁ ଫେରିବେ ନାହିଁ। ଶୁକ୍ରବାର ଏକ ସମାଚାର ଚ୍ୟାନେଲ ସହ ଆଲୋଚନା ବେଳେ ତେଜ ପ୍ରତାପ ଏହା କହିଛନ୍ତି। ସେ ଏବେ ହରିଦ୍ଵାରରେ ରହୁଛନ୍ତି। ସେ ନିଜର ସାନ ଭାଇ ତେଜସ୍ଵୀ ଯାଦବଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ କହିଛନ୍ତି ଯେ ସେ ଦିଲ୍ଲୀରେ ଭାଇର ଜନ୍ମଦିନ ସମାରୋହରେ ସାମିଲ ହୋଇ ପାରିବେ ନାହିଁ। 

ତେଜପ୍ରତାପ କହିଛନ୍ତି ଯେ ପତ୍ନୀଙ୍କ ସହିତ ଥିବା ମତଭେଦର ସମାଧାନ ଏବେ ଆଉ ହୋଇ ପାରିବ ନାହିଁ। ମୁଁ ବିବାହ କରିବି ନାହିଁ ବୋଲି ପୂର୍ବରୁ ମାତା-ପିତାଙ୍କୁ କହିଥିଲି। ମାତ୍ର ମୋ କଥା କେହି ଶୁଣିନଥିଲେ। ଯେ ପର୍ଯ୍ୟନ୍ତ ପରିବାର ଲୋକେ ମୋର ଏହି ନିଷ୍ପତ୍ତିରେ ସମ୍ମତି ଦେଇ ନାହାନ୍ତି ସେ ପର୍ଯ୍ୟନ୍ତ ଘରକୁ ଫେରିବି ନାହିଁ ବୋଲି ତେଜପ୍ରତାପ କହିଛନ୍ତି। ନିକଟରେ ତାଙ୍କୁ ବାରଣାସୀରେ ଦେଖିବାକୁ ମିଳିଥିଲା। ରାଞ୍ଚିରେ ନିଜର ଅସୁସ୍ଥ ପିତା ଲାଲୁଙ୍କୁ ଭେଟିବା ପରେ ସେ ଆଉ ଘରକୁ ଫେରି ନାହାନ୍ତି। 

ବିହାର ସରକାରରେ ସ୍ଵାସ୍ଥ୍ୟ ମନ୍ତ୍ରୀ ରହିଥିବା ତେଜପ୍ରତାପ  ଏହି ବିବାଦରେ ନିକଟତର ସଂପର୍କୀୟ, ଖାସ କରି ଶ୍ଵଶୁର ଘର ପକ୍ଷ ଲୋକଙ୍କ ଭୂମିକା ଉପରେ ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି। ସେ ନିଜର ସାନ ଭାଇ ସହିତ ଥିବା ମତଭେଦ ଖବରକୁ ମଧ୍ୟ ଖାରଜ କରିଛନ୍ତି। ମୁଁ ତେଜସ୍ଵୀଙ୍କୁ ଆଶୀର୍ବାଦ ଦେଉଛି। ମୋର କାମନା ଏହା ଯେ ସେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ମୁଁ ତାଙ୍କ ସପକ୍ଷରେ ରହିବି ଏବଂ ଠିକ୍ ସେହିଭଳି ସାହାଯ୍ୟ କରିବି ଯେମିତି ମହାଭାରତରେ କୃଷ୍ଣ ଅର୍ଜୁନଙ୍କୁ ସହାୟତା କରିଥିଲେ। 

Subscribe

National International State Sports Entertainment